ଉଦ୍‌ଘାଟନକୁ ମାସେ ନ ପୂରୁଣୁ ସ୍ମାର୍ଟ ପାର୍କରେ ଅବ୍ୟବସ୍ଥା

ପଟ୍ଟାମୁଣ୍ଡାଇ,୧୦ା୧୦(ସ୍ବ.ପ୍ର.): ସହରୀ ଜୀବନରେ ବିନୋଦନ ପାଇଁ ସର୍ବାଧିକ ପସନ୍ଦର ସ୍ଥାନ ହେଉଛି ପାର୍କ। ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ପାର୍କର ଚାହିଦା ଆଦୌ କମିନାହିଁ। ସକାଳେ ମର୍ନିଂ ୱାକ୍‌ ହେଉ କି ଅପରାହ୍ନରେ ହାଲ୍‌କା ପବନରେ କିଛି ସମୟ ନିରୋଳାରେ କାଟିବା ପାଇଁ ହେଉ, ସହରବାସୀଙ୍କ ପାଇଁ ପାର୍କଠାରୁ ଉତ୍କୃଷ୍ଟ ସ୍ଥାନ ଆଉ କିଛିନାହିଁ। ଏହାକୁ ଆଖିଆଗରେ ରଖି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଦକ୍ଷିଣଦିଆ-ତାତନା ମଧ୍ୟରେ ମହାବୀଣାଠାରେ ଗତ ସ୍ବାୟତ୍ତ ଶାସନ ଦିବସରେ ଏକ ସ୍ମାର୍ଟ ପାର୍କ ଉଦ୍‌ଘାଟନ କରାଯାଇଥିଲା। ମାତ୍ର ତାହା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି।
ସାମାଜିକ କର୍ମୀ ସୁଦର୍ଶନ ପାଢ଼ୀ, ପ୍ରଫୁଲ୍ଲ ଦାଶ, ପୀତାମ୍ବର ପରିଡା, ତ୍ରିଲୋଚନ ଜେନା, ଚିତ୍ତରଞ୍ଜନ ମହାରଣା ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପାର୍କ ନିର୍ମାଣ ପାଇଁ ବହୁଦିନ ଧରି ଦାବି ହୋଇଆସୁଥିଲା। ୨୦୧୮ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ମହାବୀଣାଠାରେ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପାର୍କର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୪ ବର୍ଷ ପରେ ଅର୍ଥାତ୍‌ ୨୦୨୨ ପୌର ପରିଷଦର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟ ସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଉକ୍ତ ସ୍ମାର୍ଟ ପାର୍କର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ସକାଳେ ଓ ସନ୍ଧ୍ୟାରେ ସେଠାରେ ଲୋକଙ୍କ ବେଶ୍‌ ଭିଡ଼ ଜମୁଥିଲା। ମାତ୍ର ବାହାରକୁ ପାର୍କଟି ସଫାସୁତରା ଲାଗୁଥିଲା ମଧ୍ୟ ଭିତରେ ବର୍ଷାପାଣି ଜମିରହି ଘାସ ପଚି ଦୁର୍ଗନ୍ଧ ପରିବେଶ ସୃଷ୍ଟି କରିଛି। ପାର୍କରେ ଲଗାଯାଇଥିବା ରଙ୍ଗବେରଙ୍ଗ ଲାଇଟ୍‌ ମଧ୍ୟ ଜଳୁନାହିଁ। ଷ୍ଟ୍ରିଟ୍‌ ଲାଇଟ୍‌ ଠିକ୍‌ ଭାବେ କାମ କରୁନାହିଁ। ଫଳରେ ରାତ୍ରି ଭ୍ରମଣ ପାଇଁ ପାର୍କକୁ ସ୍ଥାନୀୟ ଲୋକେ ସୁରକ୍ଷିତ ମଣୁନାହାନ୍ତି। ପାର୍କରେ ବସିବାକୁ ଥିବା ରାଉଣ୍ଡ ଶେଡ୍‌ର ଟିଣ ଫୁଟି ପାଣି ଗଡୁଛି। ଏହିସବୁ ସମସ୍ୟା ପାର୍କ ଯାଉଥିବା ଲୋକଙ୍କୁ ଅସୁବିଧାରେ ପକାଉଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ଯୋଗାଯୋଗ କରିବାରେ ସବୁ ଠିକ୍‌ ଚାଲିଛି, ଯାହା ଖରାପ ହେଉଛି ତାକୁ ମରାମତି କରାଯାଉଛି ବୋଲି ସେ କହିଛନ୍ତି।