Categories: ଜାତୀୟ

ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨, ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୨୪।୮ : ଅଗଷ୍ଟ ୨୫ ରେ ରାତି ୮ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ ର ଫାଇନାଲିଷ୍ଟମାନଙ୍କୁ ସମ୍ବୋଧିତ କରିବେ। ହାକାଥନରେ, ଛାତ୍ରରଛାତ୍ରମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନର ପଥ ଖୋଜିବେ।

ଏହା ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଉତ୍ପାଦ ନବସୃଜନ, ସମସ୍ୟାର ସମାଧାନ ଏବଂ ଅନନ୍ୟ ଚିନ୍ତାଧାରାର ଏକ ସଂସ୍କୃତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ମାର୍ଟ ଇଣ୍ଡିଆ ହାକାଥନରେ ପ୍ରତ୍ୟେକ ସମସ୍ୟା ସମାଧାନର ପଥ ଖୋଜି ବାହାର କରିଥିବା ବିଜେତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଛାତ୍ରୀଛାତ୍ରମାନଙ୍କୁ ନବୋନ୍ମେଷ ବର୍ଗ ଅଧୀନରେ ୧ ଲକ୍ଷ, ୭୫ ହଜାର ଏବଂ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଧାନ କରାଯିବ।

ଏସମ୍ପର୍କରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ସୁଭାଷ ସରକାର କହିଛନ୍ତି ଯେ ପ୍ରତିବର୍ଷ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଥର ମଧ୍ୟ ସ୍ମାର୍ଟ ଇଣ୍ଡିଆ ହାକାଥନ (ଏଆଇଏଚ) ର ଫାଇନାଲିଷ୍ଟଙ୍କ ସହ ଭାବ ଆଦାନ ପ୍ରଦାନ କରିବେ। ଚଳିତ ବର୍ଷର ହାକାଥନରେ ଛାତ୍ରୀଛାତ୍ରମାନେ ଅପରାଧ ଆକଳନ, କୃତ୍ରିମ ବୁଦ୍ଧିମତା ଏବଂ ମେସିନ ଲର୍ନିଂ ବ୍ୟବହାର କରି ହଟସ୍ପଟ ମ୍ୟାପିଂ, ପୋଲିସ ରେଡିଓ ସେଟ ମାଧ୍ୟମରେ ମଲ୍ଟିମିଡ଼ିଆ ତଥ୍ୟ ସ୍ଥାନାନ୍ତର, ମନ୍ଦିର ରେକର୍ଡର ପ୍ରକୃତି ଏବଂ ଦେବନାଗରୀ ସ୍କ୍ରିପ୍ଟରେ ଅନୁବାଦରେ ଅଂଶଗ୍ରହଣ କରିବେ।

ଉଚ୍ଚ କ୍ଷମତା ବିଶିଷ୍ଟ ଥ୍ରୀ ଡ଼ି ମଡେଲ ସୃଷ୍ଟି କରିବା, ନଷ୍ଟ ହୋଇଯାଉଥିବା ଖାଦ୍ୟ ସାମଗ୍ରୀ ପାଇଁ ଶୀତଳ ଭଣ୍ଡାର ଯୋଗାଣ ଶୃଙ୍ଖଳା ପାଇଁ ମନିଟରିଂ ସିଷ୍ଟମ ସହିତ ଅନେକ ସମସ୍ୟାର ସମାଧାନ ଉପରେ କାର୍ଯ୍ୟ କରିଛନ୍ତି। ସ୍ମାର୍ଟ ଇଣ୍ଡିଆ ହାକାଥନର ସଫ୍ଟୱେର୍‌ ଏବଂ ହାର୍ଡୱେର୍‌ ସଂସ୍କରଣରେ ୧୫ହଜାରରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି ।

Share