ଛାତ୍ରୀଛାତ୍ରଙ୍କ ପାଇଁ ସ୍ମାର୍ଟ କ୍ଲାସ୍‌ ରୁମ୍‌ ଅଲୋଡ଼ା

କାଏମା,୨୦।୯( ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ଲାଲବାହାଦୁର ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ଆସୁନି ନବମ ଓ ଦଶମ ଶ୍ରେଣୀର ସ୍ମାର୍ଟ କ୍ଲାସ ରୁମ୍‌। ଏହି ସ୍କୁଲ ୧୯୬୮ରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉକ୍ତ ସ୍କୁଲରେ ପାଠ ପଢ଼ୁଛନ୍ତି । ଓଡ଼ିଶା ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାରେ ଏହି ସ୍କୁଲକୁ ରୂପାନ୍ତୀରଣ କରାଯାଇଛି। ଯୋଜନା ଅନୁସାରେ ସ୍କୁଲରେ ନିର୍ମିତ ହୋଇଛି ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ସାଇନ୍ସ ଲାବ୍‌, କମ୍ପ୍ୟୁଟର୍‌ ଲାବ୍‌ ଓ ଅତ୍ୟାଧୁନିକ ଶୌଚାଳୟ । ସ୍ମାର୍ଟ କ୍ଲାସ୍‌ରେ ଛାତ୍ରୀଛାତ୍ର ବ୍ଲାକବୋର୍ଡ ବଦଳରେ ଅଡିଓ-ଭିଡିଓ ମାଧ୍ୟମରେ ପାଠ ପଢ଼ିବେ। ଇଣ୍ଟରନେଟ୍‌ ସହ ଜଡ଼ିତ ହୋଇ ନୂଆ ଟେକ୍ନୋଲୋଜିକୁ ଆପଣେଇବେ। ସ୍କୁଲରେ ଏଭଳି ବ୍ୟବସ୍ଥା ଯାହା ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତରେ ଅନେକ ସାହାଯ୍ୟ କରିବ। କିନ୍ତୁ ଏହି ସ୍କୁଲରେ ଥିବା ସ୍ମାର୍ଟ କ୍ଲାସ ରୁମ୍‌ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ାରେ ଲାଗୁନି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମିତ କ୍ଲାସ ରୁମ୍‌ ବର୍ତ୍ତମାନ ବନ୍ଦହୋଇ ପଡ଼ି ରହିଛି। କାରଣ ଏହି କ୍ଲାସ ରୁମ୍‌ ଛୋଟ । ୫୦ ସିଟ୍‌ ପଡ଼ିବା ପାଇଁ ବ୍ୟବସ୍ଥା ଅଛି। କିନ୍ତୁ ନବମ ଶ୍ରେଣୀରେ ୮୯ ଓ ଦଶମ ଶ୍ରେଣୀରେ ୧୧୫ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି । ଏଥିପାଇଁ ପିଲାଙ୍କ ସ୍ମାଟ୍‌ କ୍ଲାସ୍‌ ରୁମ୍‌ରେ ପଢ଼ିବା ସ୍ବପ୍ନ, ସ୍ବପ୍ନରେ ରହିଯାଇଛି । କେତେଜଣ ପିଲା କହିଛନ୍ତି, ଯେଉଁଦିନ ଅଳ୍ପ ପିଲା ସ୍କୁଲକୁ ଆସିଥାଆନ୍ତି, ସେଦିନ ସେହି ରୁମ୍‌ ଖୋଲାଯାଇ ପାଠ ପଢ଼ାଯାଇଥାଏ । ଅନ୍ୟପକ୍ଷେ ସେହି ରୁମ୍‌ରେ ସ୍ମାର୍ଟ ବ୍ଲାକ୍‌ବୋର୍ଡ ଅଛି। କିନ୍ତୁ ଅଡିଓ-ଭିଡିଓ ଦେଖିବା ପାଇଁ ପ୍ରୋଜେକ୍ଟରର ବ୍ୟବସ୍ଥା ହୋଇନାହିଁ। ଘର କାମ ସରିବାର ବର୍ଷେ ନ ପୂରୁଣୁ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ବର୍ଷା ପାଣି କାନ୍ଥରେ ଭେଦୁଥିବାରୁ ରଙ୍ଗ ଛାଡ଼ିବା ଆରମ୍ଭ ହୋଇଛି ।
ଏ ସଂକ୍ରାନ୍ତରେ ସ୍ବାଭିମାନ ମଞ୍ଚ ପକ୍ଷରୁ ବିଦ୍ୟାଳୟର ଉନ୍ନତୀକରଣ ଓ ନିମ୍ନମାନର କାମକୁ ନେଇ ଅଭିଯୋଗ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ରାଜଶ୍ରୀ ପଣ୍ଡା ଓ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ପରିଡ଼ା କହିଛନ୍ତି, ୫-ଟି କାମ ବିଷୟରେ ଆମେ ଅବଗତ ନ ଥିଲୁ । କାମ ଚାଲୁ ଥିବା ସମୟରେ ଶ୍ରେଣୀଗୃହଗୁଡ଼ିକ ଛୋଟ ଲାଗୁଛି, ସବୁ ପିଲା ବସି ପାଠ ପଢ଼ିପାରିବେ ନାହିଁ ବୋଲି କହିଥିଲୁ । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା ବୋଲି ଉଭୟ କହିଛନ୍ତି। ଉକ୍ତ ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ୩ ଲକ୍ଷ ଟଙ୍କା ଓ ଖେଳ ଉପକରଣ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଫଳକ ଲଗାଯାଇଛି । ସ୍କୁଲ ରୂପାନ୍ତୀକରଣ ନାମରେ ଠିକାଦାର ଓ ଦାୟିତ୍ୱରେ ଥିବା ଅଧିକାରୀ ମିଳିମିଶି ଦୁର୍ନୀତି କରିଛନ୍ତି ବୋଲି ସ୍ବାଭିମାନ ମଞ୍ଚ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।