Categories: ଫୁରସତ

ଅଢ଼େଇ ଫୁଟର ବରଙ୍କୁ ଏବେ ମିଳିଗଲା କନ୍ୟା, ଜାଣନ୍ତୁ କ’ଣ କରୁଛନ୍ତି ତାଙ୍କ ଜୀବନସାଥୀ

କିଛିଦିନ ଧରି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ଅଢ଼େଇ ଫୁଟର ବରଙ୍କ ପାଇଁ ଚାଲିଥିବା କନ୍ୟା ଖୋଜା ଅଭିଯାନରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ବରଙ୍କୁ ତାଙ୍କ ଜୀବନସାଥୀ ମିଳିଯାଇଛନ୍ତି। ଅଜିମ ମନ୍‌ସୁରୀ ନାମକ ୨ ଫୁଟ ୬ ଇଞ୍ଚର ଜଣେ ଯୁବକ ତାଙ୍କ ବିବାହ ପାଇଁ କନ୍ୟା ଖୋଜୁଥିଲେ। କିନ୍ତୁ ସବୁଆଡ଼େ ବିବାହ ଭାଙ୍ଗି ଯାଉଥିଲା। ଏଥିପାଇଁ ସେ ଥାନାଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଏବଂ ଅଭିନେତାଙ୍କ ସହାୟତା ମଧ୍ୟ ମାଗିଥିଲେ।

ଏବେ ଅଜିମଙ୍କ ପାଇଁ ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ପ୍ରସ୍ତାବ ଆସିଛି। ଏଠାରେ ରହୁଥିବା କନ୍ୟା ରେହାନାଙ୍କ ଉଚ୍ଚତା ମଧ୍ୟ ଅଜିମଙ୍କ ପରି। ତାଙ୍କ ପରିବାର ବହୁତ ଗରିବ। ଅଜିମ କନ୍ୟା ଖୋଜୁଥିବା ସେ ସୋସିଆଲ ମିଡିଆରେ ଜାଣିବାକୁ ପାଇଥିଲେ। ଏହା ପରେ ରେହାନାଙ୍କ ପରିବାର ଲୋକ ଅଜିମଙ୍କୁ ଭେଟିଥିଲେ।

ଅଜିମଙ୍କୁ ୨୬ ବର୍ଷ ହୋଇଥିବା ବେଳେ ରେହାନାଙ୍କୁ ୨୫ ବର୍ଷ। ରେହାନାଙ୍କ ଉଚ୍ଚତା ମଧ୍ୟ ଅଢ଼େଇ ଫୁଟ। ସେ ଘରର ସମସ୍ତ କାମ କରିଥାନ୍ତି। ବର୍ତ୍ତମାନ ରେହାନାଙ୍କ ପରିବାର ଝିଅ ପାଇଁ ମନଲାଖି ଜ୍ୱାଇଁ ପାଇ ଖୁସି ହୋଇଛନ୍ତି।

ରେହାନା ଏକ ସାକ୍ଷାତକାରରେ କହିଛନ୍ତି, ଅଜିମ ତାଙ୍କର ବହୁ ପସନ୍ଦ। ସେ ତାଙ୍କ ଭାଇରାଲ ଭିଡିଓ ଦେଖିଥିଲେ। ରେହାନା ଘର କାମରେ ମାହିର। ସେ ସିଲେଇ ମଧ୍ୟ ଶିଖିଛନ୍ତି। ଅଜିମ ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ସେ ହାଉସଓ୍ବାଇଫ୍‌ ଚାହୁଁଛନ୍ତି। ତେଣୁ ରେହାନାଙ୍କ ଫଟୋ ଅଜିମଙ୍କ ଘରକୁ ପଠାଯାଇଥିଲା। ଏଥିରେ ରାଜି ହୋଇଥିଲେ ଅଜିମ।

ରେହାନାଙ୍କ ପିତା କୁହନ୍ତି, ଅଜିମ ଏବଂ ରେହାନାଙ୍କ ଯୋଡ଼ି ବେଶ୍‌ ଭଲ ରହିବ। ସେ ଅଜିମଙ୍କ ଭାଇରାଲ ଭିଡିଓ ଦେଖି ଝିଅ ପାଇଁ ପ୍ରସ୍ତାବ ଆଣିଥିଲେ। ଅଜିମ ବି ତାଙ୍କର ପସନ୍ଦ ଅଛନ୍ତି।

କୁହାଯାଏ, ଉପରବାଲା ଯୋଡ଼ି ବନାଇଥାନ୍ତି। କିଏ କାହାକୁ ବିବାହ କରିବ ତାହା ସ୍ବର୍ଗରେ ସ୍ଥିର ହୋଇଥାଏ। ଉଚ୍ଚତା କମ୍‌ ଯୋଗୁ ଭାଙ୍ଗି ଯାଉଥିବା ବିବାହ ଆଜି ଠିକ୍‌ ହୋଇଛି। ଉଭୟଙ୍କୁ ମିଳିଯାଇଛି ମନ ପସନ୍ଦର ଜୀବନସାଥୀ। ଅଜିମ ଏବଂ ରେହାନା ଏଥିରେ ବହୁତ ଖୁସି ଅଛନ୍ତି। ତେବେ ବିବାହର ତାରିଖ ସ୍ଥିର ହୋଇନାହିଁ।

Share