Categories: ଖେଳ

ମୁମ୍ବାଇ ବିପକ୍ଷରେ ଦିଲ୍ଲୀର ଭାଗ୍ୟ ବଦଳାଇପାରନ୍ତି ଏହି ଅଲରାଉଣ୍ଡର: ଏହି ସ୍ବତନ୍ତ୍ରତା ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୩ର କ୍ୱାଲିଫାୟର-୨ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ ମାର୍କସ ଷ୍ଟୋଇନିସ୍‌। ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର ୩୮ ରନ୍‌ର ଆକ୍ରାମକ ଇନିଂସ ଖେଳିବା ସହ ବୋଲିଂରେ ୨୬ ରନ୍‌ ପାଇଁ ୩ଟି ଓ୍ବିକେଟ ନେଇଥିଲେ। ଏହାକୁ ନେଇ ସେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ମଙ୍ଗଳବାର ଦିଲ୍ଲୀ ମୁମ୍ବାଇ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳୁଥିବା ଯୋଗୁ ଷ୍ଟୋଇନିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ ବୋଲି କୁହାଯାଉଛି।

-ଗେମ୍‌ ଚେଞ୍ଜର ହୋଇପାରେ ଷ୍ଟୋଇନିସଙ୍କ ମନ୍ଥର ବଲ୍‌
ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇରେ କିରନ୍‌ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ସେମାନଙ୍କ ପାଇଁ ଷ୍ଟୋଇନିସ୍‌ଙ୍କ ମନ୍ଥର ବଲ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଗ୍ରିପ୍‌ ବଦଳାଇବା, ଓ୍ବାଇଡ୍‌ ୟୋକର୍ସ ଏବଂ ମନ୍ଥର ବଲ୍‌ ସହ ରଣନୀତି ବଦଳାଇବା ପରେ ଓ୍ବିକେଟ ମିଳୁଛି କି ନାହିଁ ସେ ପୂର୍ବ ମ୍ୟାଚ୍‌ରେ ଜାଣିବାକୁ ଚାହିଁଥିଲେ। ଆଜିର ମ୍ୟାଚ୍‌ରେ ତାହା ଦେଖିବାକୁ ମିଳିପାରେ।

-ଯୋଜନା ଓ ଅନୁଶାସନ
ଅଧିନାୟକ- ପ୍ରଶିକ୍ଷକଙ୍କ ସହ କଥାବାର୍ତ୍ତା ଏବଂ ଦଳର ରଣନୀତି ଅନୁଯାୟୀ ସେ ଖେଳନ୍ତି। ଏହି ଫର୍ମାଟରେ ବୋଲିଂ କରିବା କଷ୍ଟକର ଥାଏ। ପଡ଼ିଆକୁ ଯିବା ପୂର୍ବରୁ ଯୋଜନା ପ୍ରସ୍ତୁତ କର, ଭଲ ଭାବନା ସହ ଆସିବା ଏବଂ ଅଧିନାୟକ-ପ୍ରଶିକ୍ଷକ-ବିଭିନ୍ନ ବ୍ୟାଟ୍ସମ୍ୟାନ୍‌ଙ୍କ ସହ କଥା ହେବାକୁ ପଡେ ବୋଲି ଷ୍ଟୋଇନିସ କହିଥିଲେ। ଫାଇନାଲ ମ୍ୟାଚ୍‌ରେ ମଧ୍ୟ ସେ ସେଭଳି ଚିନ୍ତାଧାରା ସହ ପଡ଼ିଆକୁ ଓହ୍ଲାଇପାରନ୍ତି। ତେବେ ଚଳିତ ସିଜନ୍‌ରେ ସେ ୩୫୨ ରନ୍‌ କରିଥିବା ବେଳେ ୧୨ଟି ଓ୍ବିକେଟ୍‌ ନେଇଛନ୍ତି।

Share