ସୁଖନିଦ୍ରାରେ ଶୋଇଛନ୍ତି

ରବିନାରାୟଣ ସାମଲ

ଛାତି ଥରାଇଲା ଭଳି ଭବିଷ୍ୟବାଣୀ! ଆଗାମୀ ଦଶ ବର୍ଷ ମଧ୍ୟରେ ପୃଥିବୀର ଛଅଟି ସହର ସମୁଦ୍ର ଜଳରେ ନିମଗ୍ନ ହେବ। ତନ୍ମଧ୍ୟରୁ ଭାରତର କୋଲକାତା ଅନ୍ୟତମ। କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ନାମକ ସଂସ୍ଥା ଏହି ସୂଚନା ପ୍ରଦାନ କରିଛି। ଭାରତର ମାଙ୍ଗାଲୋର, କାଣ୍ଡଲା, ମର୍‌ମୁଗାଓ, ପାରାଦୀପ, ମୁମ୍ବାଇ, କୋଚି ଓ ଭବନଗର ଧୀରେ ଧୀରେ ସମୁଦ୍ର ଜଳରେ ନିମଗ୍ନ ହେଉଛି। ୨୦୫୦ ସୁଦ୍ଧା ଏହି ସହରଗୁଡ଼ିକ ସମ୍ପୂର୍ଣ୍ଣରୂପେ ସମୁଦ୍ର ଗର୍ଭକୁ ଚାଲିଯିବ ବୋଲି ଉପଗ୍ରହ ତଥ୍ୟକୁ ବିଶ୍ଳେଷଣ କରି ନାସା ତା’ର ରିପୋର୍ଟରେ ପ୍ରକାଶ କରିଛି। ଅସମ୍ଭବ ନୁହେଁ! ଆମ ଆଖି ଆଗରେ ତ ସାତଭାୟା ନିଶ୍ଚିହ୍ନ ହୋଇଗଲା। ବିଳମ୍ବ ହେଲେ ବି ଏବେଠୁ ସତର୍କ ନ ହେଲେ କେବଳ ଭାରତ ନୁହେଁ, ପୃଥିବୀର ଅନ୍ୟାନ୍ୟ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଦିନେ ନା ଦିନେ ସମୁଦ୍ର ଜଳରେ ନିମଗ୍ନ ହୋଇଯିବ।
ଆମେ ଉତ୍ତରାଖଣ୍ଡରେ ଖଣ୍ଡପ୍ରଳୟ କିଛି ବର୍ଷ ହେଲା ଦେଖି ଆସୁଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅସମ୍ଭବ ପ୍ରକାରେ ହେଉଛି। ଯମୁନା ନଦୀରେ ବିଷାକ୍ତ ଫେଣ ବରଫଖଣ୍ଡ ଭଳି ଭାସିଆସୁଛି। ବିଶ୍ୱରେ ସବୁଠାରୁ ବେଶି ପ୍ରଦୂଷିତ ସହର ମଧ୍ୟରୁ ଭାରତରେ ୨୨ଟି ଅଛି। ଭାରତରେ ବେଶି ପ୍ରଦୂଷିତ ନଦୀର ସଂଖ୍ୟା ୩୫୧ ହୋଇଥିବା ସ୍ଥଳେ ଓଡ଼ିଶାରେ ଏହା ୧୯ରେ ପହଞ୍ଚତ୍ଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ବାର୍ଷିକ ୨୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି ଏବଂ ଏହା ବିଶ୍ୱର ଶତକଡ଼ା ୧୮ ଭାଗ। ପ୍ରଶ୍ନ ଉଠୁଛି – ଏହି ପ୍ରଦୂଷଣ ପାଇଁ ଆମେ କାହାକୁ ଦାୟୀ କରିବା? ସରକାରଙ୍କୁ ନା ଶିଳ୍ପପତିଙ୍କୁ ନା ସାଧାରଣ ଜନତାଙ୍କୁ? ଦେଶରେ ତ ଏନ୍‌ଜିଟି, ପିସିବି, ଆଇଏମ୍‌ଡି, ଆଇପିସିସି, ଏନ୍‌ଏପିସିସି ଭଳି ଅନେକ ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଅଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟଟିଏ ବି ଅଛି। ଏମାନେ ସବୁ କରୁଛନ୍ତି କ’ଣ? ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି ଏମାନେ ସବୁ ସୁଖନିଦ୍ରାରେ ଶୋଇଛନ୍ତି।
ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଜଙ୍ଗଲ ଧ୍ୱଂସକୁ ଜଳବାୟୁଠାରୁ ଅଲଗା କରି ବିଚାର କରାଯାଇ ପାରିବ ନାହିଁ। ସେ ମିଥେନ୍‌ କିମ୍ବା ଅଙ୍ଗାରକାମ୍ଳର ନିର୍ଗମନ ହେଉ ଅଥବା ସବୁଜ କୋଠରି ପ୍ରଭାବ ହେଉ, ସବୁଗୁଡ଼ିକ ଜଳବାୟୁକୁ ପ୍ରଭାବିତ କରୁଛି। ତେଣୁ ଜଳବାୟୁ ପରିବର୍ତ୍ତନ କଥା ଚିନ୍ତା କରିବା ପୂର୍ବରୁ ଜଳ ଓ ବାୟୁର ପ୍ରଦୂଷଣ ସାଙ୍ଗକୁ ଜଙ୍ଗଲ କ୍ଷୟ କଥା ବି ଚିନ୍ତା କରିବା ନିହାତି ଆବଶ୍ୟକ।
ସ୍କଟ୍‌ଲାଣ୍ଡ୍‌ର ଗ୍ଲାସ୍‌ଗୋଠାରେ ଜଳବାୟୁ ସଂକ୍ରାନ୍ତୀୟ ଶିଖର ସମ୍ମିଳନୀ କୋପ୍‌-୨୬ ଦୁଇ ସପ୍ତାହ ଧରି ଚାଲିଲା। ୬ ବର୍ଷ ତଳେ ପ୍ୟାରିସ୍‌ରେ ହୋଇଥିବା ଶିଖର ସମ୍ମିଳନୀର ଚୁକ୍ତି ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବାରୁ ପ୍ରାୟ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ। ରାଜାଙ୍କ ଆଦେଶରେ ତ ସମସ୍ତେ ମହାଦେବଙ୍କ ମୁଣ୍ଡରେ ଦୁଧ ମାଠିଆ ଢାଳିଥିଲେ, ମାତ୍ର ପାଣି ମାଠିଆ ଢାଳିଲା କିଏ? କାଦୁଅ ଫିଙ୍ଗାଫିଙ୍ଗିରେ ସମ୍ମିଳନୀ ସରଗରମ ହେଲା। ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଦାୟୀ ଚାଇନା, ଆମେରିକା, ଭାରତ ଓ ରୁଷ୍‌ର ପ୍ରତିନିଧିମାନେ ଚିରାଚରିତ ଢଙ୍ଗରେ ସମୟସୀମା ଘୋଷଣା କରିଦେଲେ। ଆମେରିକା କହିଲା, ୨୦୫୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ଶୂନକୁ ଆଣିବ, ଚାଇନା କହିଲା ୨୦୬୦ ମସିହା ସୁଦ୍ଧା ଶୂନକୁ ଆଣିବ ଏବଂ ଭାରତ କହିଲା ୨୦୭୦ ମସିହା ସୁଦ୍ଧା ଶୂନକୁ ଆଣିବ। ଜଣେ ଅନ୍ୟ ଜଣକୁ ଟପିଗଲେ। ଭାରତ କଣ୍ଟ କରିଥିବା ୫୦ ବର୍ଷ ବେଳକୁ ପୃଥିବୀରେ କାହିଁରେ କେତେ ପରିବର୍ତ୍ତନ ହୋଇସାରିବଣି। ଭାରତର ରାଜନୈତିକ ଦୃଶ୍ୟପଟରେ କେତେ ସକାଳ ସଞ୍ଜ ଯାଇସାରିବଣି। ଏହି ଚାରିଟି ରାଷ୍ଟ୍ର ଦ୍ୱାରା ଘୋଷିତ ଦୀର୍ଘ ସମୟ ସୀମା ବିଶ୍ୱବାସୀଙ୍କ ମନରେ ଆଶାର ସଞ୍ଚାର କରିବା ଅପେକ୍ଷା ବେଶି ନିରାଶା ସୃଷ୍ଟି କରିଛି। ବଡ଼ ବଡ଼ ରାଷ୍ଟ୍ରର ବଡ଼ ବଡ଼ କଥାକୁ କିଏ ବିଶ୍ୱାସ କରିବ।
କୋପ୍‌-୨୬ ସମ୍ମିଳନୀରେ ୨୦୩୦ ସୁଦ୍ଧା ଗଛକଟା ବନ୍ଦ କରି ବୃକ୍ଷ ରୋପଣ କରିବାକୁ ୧୦୦ଟିରୁ ଊର୍ଦ୍ଧ୍ୱ ଦେଶ ସହମତି ପ୍ରକାଶ କରିଥିଲେ। କିନ୍ତୁ ବିକାଶ ଓ ଶିଳ୍ପାୟନକୁ ଦେଖିଲେ ଏହି ପ୍ରତିଶ୍ରୁତି ଯେ ନିଷ୍ଫଳ ହେବ, ଏହା ଜଳ ଜଳ ହୋଇ ଦେଖାଯାଉଛି। ଜୀବାଶ୍ମ ଇନ୍ଧନ ଓ ଗ୍ୟାସ୍‌ ବ୍ୟବହାର ବନ୍ଦ କରିବାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରିବାକୁ ସମ୍ମିଳନୀରେ ଏକ ମେଣ୍ଟ ଗଠନ କରାଯାଇ ଦାୟିତ୍ୱ ନ୍ୟସ୍ତ କରାଗଲା। ମାତ୍ର ଏହାକୁ କେଉଁ ରାଷ୍ଟ୍ର ଗ୍ରହଣ କରିବ? ସର୍ବାଧିକ କୋଇଲା ବ୍ୟବହାରକାରୀ ରାଷ୍ଟ୍ର ଚାଇନା ଓ ଆମେରିକା ତ ଚୁକ୍ତିରେ ସ୍ବାକ୍ଷର କଲେ ନାହିଁ, ଅନ୍ୟାନ୍ୟ ରାଷ୍ଟ୍ର ସେହି ଆଳରେ ଚୁକ୍ତିକୁ ଫାଇଲ୍‌ ଭିତରେ ଚାପି ଦେବେ। ବିକଶିତ ରାଷ୍ଟ୍ରଗୁଡ଼ିକର ବେପରୁଆ ମନୋବୃତ୍ତି ଯୋଗୁ ବିକାଶଶୀଳ ରାଷ୍ଟ୍ର ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଜଳବାୟୁର ପ୍ରତିକୂଳ ପ୍ରଭାବକୁ ପ୍ରତିହତ କରିବାକୁ ବିକଶିତ ରାଷ୍ଟ୍ରମାନେ ଯେତେ ପରିମାଣରେ ଆର୍ଥିକ ଅନୁଦାନ ଦେବା କଥା, ତାହା ଦେଉ ନାହାନ୍ତି। ଫଳରେ ବିକାଶଶୀଳ ରାଷ୍ଟ୍ରମାନେ ଆବଶ୍ୟକ ପଦକ୍ଷେପ ନେଇପାରୁ ନାହାନ୍ତି। ଜଳବାୟୁ ସୁରକ୍ଷା କର୍ମୀ ଗ୍ରେଟା ଥନ୍‌ବର୍ଗ ସମ୍ମିଳନୀକୁ ନେଇ ନୈରାଶ୍ୟ ପ୍ରକାଶ କରିବା ଥିଲା ଗୁରୁତ୍ୱପୂର୍ଣ୍ଣ। ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତି ସନ୍ତୋଷଜନକ ନୁହେଁ ବୋଲି ସେ କହିଥିଲେ। ଗ୍ଲାସ୍‌ଗୋ, ଲଣ୍ଡନ, ପ୍ୟାରିସ୍‌, ଜୁରିଚ୍‌, ଇସ୍ତାନବୁଲ ଓ କୋପେନ୍‌ହାଗେନ୍‌ରେ ଲକ୍ଷ ଲକ୍ଷ ଲୋକ ସମବେତ ହୋଇ ବିକ୍ଷୋଭ କରିଥିଲେ। ସେମାନେ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି।
ଜଳବାୟୁ ପରିବର୍ତ୍ତନ ଜୀବନ ଜୀବିକାକୁ ଗଭୀରଭାବେ ପ୍ରଭାବିତ କରୁଛି। ଏଥି ଯୋଗୁ ଆଗାମୀ ଦଶ ବର୍ଷ ମଧ୍ୟରେ ୧୩ କୋଟିରୁ ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯିବେ ବୋଲି ବିଶ୍ୱବ୍ୟାଙ୍କ ତା’ର ରିପୋର୍ଟରେ ପ୍ରକାଶ କରିଛି। ଶିଶୁମାନଙ୍କଠାରେ ହେଉଥିବା ରୋଗର ଶତକଡ଼ା ୯୦ ଭାଗ ଏହି ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଛି ବୋଲି ୟୁନିସେଫ୍‌ ପ୍ରକାଶ କରିଛି।
ବିଦ୍ୟାଳୟର ପାଠ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ସ୍ଥାନ ପାଇବା ଉଚିତ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। ବେଶ୍‌ ଭଲ କଥା। କିନ୍ତୁ ଉତ୍ତର ପିଢ଼ିଙ୍କୁ ତାଲିମ ଦେଉ ଦେଉ ପୂର୍ବ ପିଢ଼ି ଯେ କବର ନେଇ ସାରିଥିବେ, ଏକଥା ଗୁରୁତର ସହ ବିଚାର କରିବା ଉଚିତ। ତାପମାତ୍ରା ନିୟନ୍ତ୍ରଣ କରିବାକୁ ଯୁଦ୍ଧକାଳୀନଭିତ୍ତିରେ ପଦକ୍ଷେପ ନେବା ପ୍ରତ୍ୟେକ ରାଷ୍ଟ୍ରର କର୍ତ୍ତବ୍ୟ। ପଚାଶ-ଶହେ ବର୍ଷ ଅବଧି ନୁହେଁ, ସ୍ବଳ୍ପ ସମୟସୀମା ମଧ୍ୟରେ ଲକ୍ଷ୍ୟ ସ୍ଥିର କରି ତାକୁ କାର୍ଯ୍ୟକାରୀ କଲେ ଜଳବାୟୁ ପରିବର୍ତ୍ତନଜନିତ ବିଭୀଷିକାକୁ ବହୁମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri