ଅବସାଦ ପାଇଁ ଦାୟୀ ଶୟନରେ ଅନିୟମିତତା

ଠିକ୍‌ ସମୟରେ ଏବଂ ଆବଶ୍ୟକ ମୁତାବକ ଶୋଇବା ଆମ ଶରୀର ପାଇଁ ବେଶ୍‌ ହିତକର। ଜଣେ ବ୍ୟକ୍ତି ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ନିହାତି ଦରକାର। ଆଉ ଯଦି ଏଥିରେ ଅନିୟମିତତା ଲାଗିରହେ ତେବେ ତାହା ନିଦ୍ରାଜନିତ ସସମ୍ୟାକୁ ଡାକିଆଣିଥାଏ। ନିକଟରେ ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। ତାହା ହେଲା ଅବସାଦ। ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଜାଣିପାରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିଙ୍କର ଶୋଇବାରେ ଅନିୟମିତତା ଦେଖାଯାଏ, ତେବେ ସେ ଅବସାଦର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଅବସାଦଜନିତ ସମସ୍ୟା ସହ ଜଡିତ କିଛି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟକୁ ବିଶ୍ଳେଷଣ କରୁଥିବା ବେଳେ ସେମାନେ ଏ ବିଷୟରେ ଜାଣିପାରିଥିଲେ। ଅନିଦ୍ରା ସହ ସମ୍ପୃକ୍ତ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ଅବସାଦର ଲକ୍ଷଣ ସେମାନେ ଦେଖିବାକୁ ପାଇଥିଲେ। ଅଧିକାଂଶ ସମୟ ଅନିଦ୍ରା ରହିବା ଫଳରେ ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ, ଫଳରେ ଜଣେ ବ୍ୟକ୍ତି ଅବସାଦଗ୍ରସ୍ତ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।