ଶୀତରେ ତ୍ୱଚାର ଯତ୍ନ

ଶୀତଦିନେ ସାମାନ୍ୟ ଅବହେଳା ତ୍ୱଚାକୁ ରୁକ୍ଷ କରିଦିଏ। ତେଣୁ ଏ ଦିନେ ଏହାକୁ ନରମ ଏବଂ ଚିକ୍କଣ ରଖିବା ଲାଗି
ବିଶେଷ ଯତ୍ନ ନେବା ଆବଶ୍ୟକ। ଏଥିପାଇଁ କେତୋଟି ସାଧାରଣ ଘରୋଇ ଉପଚାର  ଜାଣି ରଖନ୍ତୁ…
ଶୀତଦିନେ ପରିବେଶ ଶୁଷ୍କ ଥିବା ବେଳେ କମ୍‌ ପାଣି ପିଇବା ଯୋଗୁ ଶରୀରର ଜଳୀୟାଂଶ କମିବା ଦ୍ୱାରା ତ୍ୱଚା ଅଧିକ ରୁକ୍ଷ ହୋଇ ଫାଟିଥାଏ। ତେଣୁ ପ୍ରଚୁର ପାଣି ପିଅନ୍ତୁ। ନଖ ଉଷୁମ ପାଣିରେ କେଇ ବୁନ୍ଦା ଲେମ୍ବୁ ରସ ମିଶାଇ ପିଇବା ମଧ୍ୟ ଲାଭଦାୟକ।
ଯଦିଓ ଏ ଦିନେ ଉଷୁମ ପାଣିରେ ଗାଧୋଇବାକୁ ଭଲ ଲାଗିଥାଏ, ହେଲେ ଅଧିକ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ତ୍ୱଚାର ତୈଳୀୟାଂଶ ଚାଲିଯାଇ ଅଧିକ ରୁକ୍ଷ ହୋଇଯାଏ। ତେଣୁ ସାମାନ୍ୟ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ। ହେଲେ ମନେ ରଖନ୍ତୁ ଗାଧୋଇବାର ତୁରନ୍ତ ପରେ ତ୍ୱଚା ସମ୍ପୂର୍ଣ୍ଣ ଶୁଖିବା ପୂର୍ବରୁ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ।
ହାତ, ପାଦ, କହୁଣି ଏବଂ ଆଣ୍ଠୁର ତ୍ୱଚା ଶରୀରର ଅନ୍ୟ ଭାଗ ତୁଳନାରେ ଶୀଘ୍ର ଶୁଷ୍କ ହୋଇଯାଏ। ତେଣୁ ଏହାକୁ ନରମ ରଖିବା ଲାଗି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମଶ୍ଚରାଇଜିଂ ବାମ୍‌ କିମ୍ବା କ୍ରିମ୍‌ ଲଗାନ୍ତୁ।
ଏ ଦିନେ ତ୍ୱଚାରୁ ଅଧିକ ଡେଡ୍‌ ସେଲ୍‌ ବାହାରିଥାଏ। ତ୍ୱଚାର ନମନୀୟତା ବଜାୟ ରଖିବା ଲାଗି ଏହାକୁ ସଫା କରିବା ଆବଶ୍ୟକ। ତେଣୁ ଗାଧୋଇବା ସମୟରେ ଏକ୍ସଫୋଲିଏଟିଂ ବଡିଓ୍ବାଶ୍‌ ବ୍ୟବହାର କରନ୍ତୁ। ଏକ୍ସଫୋଲିଏଟିଂ ମାସ୍କ ବି ଭଲ କାମ କରିଥାଏ।
ଏ ଦିନେ ଋତୁଭିତ୍ତିକ ପନିପରିବା, ଫଳ ପ୍ରଚୁର ପରିମାଣରେ ଖାଆନ୍ତୁ। ଖାଦ୍ୟ ତାଲିକାରେ ଗାଈ ଘିଅ, ଭିଟାମିନ୍‌ ଇ, ସି ଏବଂ ଓମେଗା ୩ର ମାତ୍ରା ବଢାନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ମୁଲାୟମ ରଖିବାରେ ସାହାଯ୍ୟ କରିବ।