Categories: ମେଟ୍ରୋ

‘କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ’

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ସୋମବାର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଉଦ୍‌ଘାଟନ କରିଛନ୍ତି। ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ହିଁ ସମ୍ପଦ। ଆଜି ଓଡ଼ିଶା ସମଗ୍ର ପୃଥିବୀରେ ସ୍ପୋର୍ଟସ୍‌ ହବ୍‌ ଭାବେ ସୁପରିଚିତ। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ। ଓଡ଼ିଶା ମାଟିର ଖଣିଜ ସମ୍ପଦକୁ ନେଇ ରାଜ୍ୟର ଅର୍ଥନୈତିକ ଓ କର୍ମନିଯୁକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିକାଶଧାରାକୁ ଆଗେଇ ନେବା ପାଇଁ ରାଜ୍ୟର ସମସ୍ତ ପଲିଟେକ୍‌ନିକ୍‌ (ଆଇଟିଆଇ) ଇଞ୍ଜିନିୟରିଂ କଲେଜ ଛାତ୍ରୀଛାତ୍ରଙ୍କୁ ସେ ଆହ୍ବାନ ଦେଇଛନ୍ତି। ଏଥିରେ ବିଭଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଯୋଗ ଦେଇ କହିଛନ୍ତି, ଦେଶରେ କ୍ରୀଡ଼ା ନାମ ଉଠିଲେ କେବେ ପଞ୍ଜାବ, ହରିଆଣା ରାଜ୍ୟର ନାମ ରହୁଥିଲା କିନ୍ତୁ ବର୍ତ୍ତମାନ କ୍ରୀଡ଼ା କଥା ପଡ଼ିଲେ ଓଡ଼ିଶାର ନାମ ଆସୁଛି।
ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଜି.ରଘୁଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ମଣ୍ଡଳସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଡିପ୍ଲୋମା ଇଂଜିନିୟରିଂ ଏବଂ ଆଇଟିଆଇ ଛାତ୍ରୀଛାତ୍ରଙ୍କୁ ନେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ୪ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ୨୭ ଫେବୃୟାରୀରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।