ନୂଆଦିଲ୍ଲୀ,୨୬।୬: ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡର ଅଭିଯୁକ୍ତ ବାନ୍ଧବୀ ସିୟା ଗୋୟଲ ଏବେ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ସିୟାକୁ ଏହି ମାମଲାକୁ ନେଇ ପଚରାଉଚରା ଜାରି ରଖିଛି। ଏହି ସମୟରେ ପଚରାଉଚରାରୁ ଏକ ନୂଆ କାହାଣୀ ସାମ୍ନାକୁ ଆସିଛି। ସିୟାର ଫୋନରୁ ମିଳିଥିବା ଚାଟ୍ ଗୁଡ଼ିକ ମେଳ ଖାଉନାହିଁ।
କେତନ ଅଗ୍ରୱାଲ ହତ୍ୟା ମାମଲାରେ ଲୋନାଭାଲା ପୋଲିସ ସୂତ୍ର ଅନୁସାରେ ସିୟା ଏବେ ପୋଲିସକୁ କାହାଣୀ ଶୁଣାଇବା ଆରମ୍ଭ କରିଦେଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ସିୟା ପୋଲିସକୁ କହିଛି ଯେ ସେ କେତନ ଅଗ୍ରୱାଲକୁ କହିଥିଲେ ଯେ ତାକୁ ତାଙ୍କ ସହ ବାହାଘର କରିବାର ନାହିଁ। ସିୟା ଆଗକୁ ଦାବି କରିଛନ୍ତି ଯେ କେତନ ଅଗ୍ରୱାଲ ତାକୁ କହୁଥିଲେ ଯେ ଏବେ ବହୁତ ବିଳମ୍ବ ହୋଇଗଲାଣି ଏବଂ ସବୁ କିଛି ବହୁତ ଆଗକୁ ବଢ଼ିଗଲାଣି, ଏବେ ଆଉ କିଛି ହୋଇପାରିବ ନାହିଁ। ଅନ୍ୟପଟେ ସୂତ୍ରରୁ ପ୍ରକାଶ ଯେ ପୋଲିସ ପାଖରେ ଉଭୟଙ୍କ ମୋବାଇଲ ଫୋନ ରହିଛି, ଯେଉଁଥିରେ ଥିବା ଚାଟ ଗୁଡ଼ିକ ଏହି କାହାଣୀର ଓଲଟା (ବିପରୀତ) ଦେଖାଯାଉଛି। ଚାଟ୍ ଗୁଡ଼ିକରେ ଉଭୟେ ଜଣେ ସାଧାରଣ ପ୍ରେମୀଯୁଗଳଙ୍କ ଭଳି ନିଜ ବାହାଘର ପୂର୍ବରୁ ଯେପରି ମିଠା ମିଠା କଥା ହୁଅନ୍ତି, ସେମିତି କଥା ହେଉଥିବା ନଜର ଆସୁଛନ୍ତି। ଏହି କାରଣରୁ ପୋଲିସ ତାଙ୍କ କଥାକୁ ବିଶ୍ୱାସ କରୁନାହିଁ। ମାମଲାର ତଦନ୍ତ ସବୁ ଦିଗରୁ କରାଯାଉଛି।
ସୂଚନାଯୋଗ୍ୟ ଯେ, ସିୟା ଗୋୟଲ ଏବଂ ଚେତନ ଚୌଧୁରୀ ୭ ଦିନିଆ ପୋଲିସ ରିମାଣ୍ଡରେ ଅଛନ୍ତି। ଏହି ସମୟ ମଧ୍ୟରେ ପୋଲିସ କ୍ରାଇମ ସିନ୍ର ରିକ୍ରିଏଟ ମଧ୍ୟ କରିବ। ଏହା ପୂର୍ବରୁ ପୋଲିସ ଉଭୟଙ୍କୁ କଡ଼ାକଡ଼ି ଭାବେ ପଚରାଉଚରା କରୁଛି, ଯେଉଁଥିରେ ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହେଉଛି। ବର୍ତ୍ତମାନ ପୋଲିସ ଏହି ହତ୍ୟାକାଣ୍ଡର ଗମ୍ଭୀରତାର ସହ ତଦନ୍ତରେ ଲାଗିପଡ଼ିଛି।