ଜାନିବିଲି ଯନ୍ତ୍ରଣାରେ ବ୍ରହ୍ମପୁରବାସୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୨୪। ୧୧: ରେଶମ ସହର ବ୍ରହ୍ମପୁରରେ ବହୁ ବର୍ଷରୁ ଲାଗି ରହିଥିବା ଜଳ ସଙ୍କଟର ସ୍ଥାୟୀ ସମାଧାନ ଏବଂ ପ୍ରତିଦିନ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ଜାନିବିଲି ବୃହତ୍ତର ପ୍ରକଳ୍ପ ନିମନ୍ତେ ପଦକ୍ଷେପ ନିଆଗଲା। ୨୦୧୬ ନଭେମ୍ବର ୩୦ରେ ଏହାର ଶିଳାନ୍ୟାସ ବା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ବାବଦରେ ପ୍ରାୟ ୫ ଶହ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି। ଦୁଇବର୍ଷ ଅର୍ଥାତ୍‌ ୨୦୧୮ ନଭେମ୍ବର ୩୦ ସୁଦ୍ଧା ପ୍ରକଳ୍ପ ନିର୍ମାଣ ସରିବାର ନବୀନ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୬ ବର୍ଷ ପୂରିବାକୁ ଯାଉଛି କିନ୍ତୁ ଏହି ଯୋଜନା ଏବେ ଅସମ୍ପୂର୍ଣ୍ଣ ରହିଛି। ୨୦୧୯ ନିର୍ବାଚନ ପୂର୍ବରୁ ଭୋଟ ରାଜନୀତି ପାଇଁ ସେହି ବର୍ଷ ମାର୍ଚ୍ଚରେ ଦରଖଣ୍ଡିଆ ଯୋଜନାକୁ ନବୀନ ଲୋକାର୍ପିତ କରିଥିଲେ। ରାଜ୍ୟ ସରକାରଙ୍କ ଏହା ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବା ଆୟୋଜିତ ଜନ ସମାବେଶରେ ଦର୍ଶାଇଥିଲେ। ଏହାର ମଧ୍ୟ ସାଢ଼େ ୩ ବର୍ଷ ବିତିଛି ଏବଂ ସାହିବସ୍ତି ଗୁଡିକରେ ପାଇପ୍‌ ବିଛା ଚାଲିଛି। ଏକ ନାମୀଦାମୀ ଘରୋଇ ଉଦ୍ୟୋଗକୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ସେହି ଉଦ୍ୟୋଗ ମନଇଚ୍ଛା କାର୍ଯ୍ୟ କରୁଛି। କେବେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତ ହୋଇଯାଇଛି। ଗତ କିଛି ମାସ ହେବ ମହାନଗରର ବିଭିନ୍ନ ସ୍ଥାନ ଓ ଗଳିକନ୍ଦିରେ ପାଇପ୍‌ ବିଛାଇବା ନିମନ୍ତେ ରାସ୍ତାଗୁଡ଼ିକ ଖୋଳି ତାଡ଼ି ନଷ୍ଟ କରି ଦିଆଯାଇଛି। ଫଳରେ ଯାନବାହନ ଓ ଲୋକଙ୍କ ଚଳପ୍ରଚଳ ବିପଜ୍ଜନକ ହୋଇଛି। ସହରର ପ୍ରମୁଖ ସ୍ଥାନ ଗିରିରୋଡ ଏବଂ ଗୋଷାଣୀନୂଆଗଁା ୨୬ନଂ ୱାର୍ଡର ଶାସ୍ତ୍ରୀନଗର ସବୁ ସରଣୀ ଓ ଅନ୍ୟ ସାହିରେ ସ୍ଥିତି ସଂଗୀନ ହୋଇଯାଇଛି। ଖୋଳିତାଡ଼ି ଦିଆଯାଇଥିବା ରାସ୍ତାଗୁଡ଼ିକ ମାଟି ପକାଇ ପୋତା ଯାଉନଥିବାରୁ ଦୁର୍ଘଟଣା ନିତିଦିନିଆ ହୋଇଛି। ଜାନିବିଲିକୁ ଆୟୁଧ କରି ଗତ ସାଧାରଣ ଓ ପୌର ନିର୍ବାଚନ ଶାସକ ବିଜେଡି ଫାଇଦା ହାସଲ କରିଛି। ଅପରପକ୍ଷରେ ଜାନିବିଲି ଯନ୍ତ୍ରଣାରେ ମହାନଗରବାସୀ ହନ୍ତସନ୍ତ ହେଉଛନ୍ତି।

ବ୍ରିଟିଶ ଶାସନରେ ଶତାଧିକ ବର୍ଷ ତଳେ ନିର୍ମିତ ଧରାକୋଟ ବ୍ଲକ ଜାନିବିଲି ଡ୍ୟାମ୍‌ରୁ ପାଣି ଅଣାଯାଉଥିବାରୁ ପ୍ରକଳ୍ପର ନାମ ଜାନିବିଲି ରଖାଯାଇଛି। ଏହି ଯୋଜନାରେ କେବଳ ବ୍ରହ୍ମପୁର ନୁହେଁ ଡ୍ୟାମ୍‌ ନିକଟରୁ ବ୍ରହ୍ମପୁର ମଧ୍ୟରେ ୫୦ ଖଣ୍ଡ ଗ୍ରାମବାସୀଙ୍କୁ ମଧ୍ୟ ନିୟମିତ ପିଇବା ପାଣି ଯୋଗାଣ ଲାଗି ଲକ୍ଷ୍ୟ ଥିବା ଉଦ୍‌ଘାଟନ ଅବସରରେ କୁହାଯାଇଥିଲା। ତେବେ ସେହି ଗ୍ରାମଗୁଡ଼ିକ ତେଣେ ଥାଉ ବ୍ରହ୍ମପୁର ମହାନଗରବାସୀଙ୍କୁ ଏଯାବତ୍‌ ପୂର୍ଣ୍ଣାଙ୍ଗ ଜଳଯୋଗାଣ ହୋଇନାହିଁ। ନିର୍ମାଣ ଦାୟିତ୍ୱ ନେଇଥିବା ସମ୍ପୃକ୍ତ ଠିକା ସଂସ୍ଥା ବା ଉଦ୍ୟୋଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତୁରନ୍ତ ସମ୍ପୂର୍ଣ୍ଣ କରିବା ଏବଂ କଦର୍ଯ୍ୟ ହୋଇଥିବା ରାସ୍ତାଗୁଡ଼ିକୁ ପୁନଃ ନିର୍ମାଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।