Categories: ଖେଳ

ଡୋପିଂ ପାଇଁ କିପ୍‌ୟୋକି ୬ ବର୍ଷ ବାସନ୍ଦ

ମୋନାକୋ, ୨୧ା୧୨ (ଏପି): ଡୋପିଂ ଓ ଟାମ୍ପରିଂ ପାଇଁ କେନିଆ ମାରାଥନର ଡାଏନା କିପ୍‌ୟୋକି ୬ ବର୍ଷ ବାସନ୍ଦ ହୋଇଛନ୍ତି। ଏଥିସହିତ ତାଙ୍କଠାରୁ ୨୦୨୧ ବୋଷ୍ଟନ ମାରାଥନ ଟାଇଟଲ ପ୍ରତ୍ୟାହାର କରାଯାଇଥିବା ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ମଙ୍ଗଳବାର ପ୍ରକାଶ କରିଛି। ୨୦୨୧ ଅକ୍ଟୋବରରେ ବୋଷ୍ଟନ ମାରାଥନ ଜିତିବା ପରେ କିପ୍‌ୟୋକିଙ୍କଠାରୁ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ସେଥିରେ ଟ୍ରାୟାମସିନୋଲୋନ୍‌ ଏସିଟୋନାଇଡର୍‌ର ମାତ୍ରା ରହିଥିଲା। ଏହା ଏକ ଆଣ୍ଟି-ଇନ୍‌ଫ୍ଲୋମେଟୋରି, ଯାହାକୁ ରେସ୍‌ ସମୟରେ ଜଣେ ଆଥଲେଟ୍‌ ଔଷଧ ଭାବେ ବ୍ୟବହାର କରିବା ମନା ରହିଛି। କିପ୍‌ୟୋକି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ। ଏକ ହସ୍ପିଟାଲରୁ ସେ ନକଲି ଡକ୍ୟୁମେଣ୍ଟ ଆଣି ଦାଖଲ କରିଥିଲେ। ବୋଷ୍ଟନ ଆଥଲେଟିକ୍‌ ଆସୋସିଏଶନ କିପ୍‌ୟୋକିଙ୍କ ୨୦୨୧ ବୋଷ୍ଟନ ମାରାଥନ ଫଳାଫଳକୁ ରଦ୍ଦ ଘୋଷଣା କରିବା ସହ କେନିଆର ଏଡ୍‌ନା କିପ୍‌ଲାଗାଟ୍‌ଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଫଳରେ କିପ୍‌ଲାଗାଟ୍‌ ଦୁଇଥର ବୋଷ୍ଟନ ବିଜେତା ହୋଇଗଲେ। ପୂର୍ବରୁ ସେ ୨୦୧୭ରେ ଏହି ଇଭେଣ୍ଟ ଜିତିଥିଲେ। ଏଆଇୟୁ ଆହୁରି ମଧ୍ୟ ଘୋଷଣା କରିଛି ଯେ, ସମାନ ଅପରାଧ ପାଇଁ କେନିଆର ଅନ୍ୟ ଜଣେ ମାରାଥନର ପ୍ୟୁରିଟି ରିଓନୋରିପୋଙ୍କୁ ୫ବର୍ଷ ବାସନ୍ଦ କରାଯାଇଛି। ସେ ୨୦୧୭ରେ ପ୍ୟାରିସ ମାରାଥନ ଜିତିଥିଲେ।

Share