ଆବାସ ଯୋଜନାରେ ସାମିଲ ହୋଇନି ୬ ଗାଁ

ଜୟପୁର,୫।୧୨ (ନି.ପ୍ର.): ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ପରି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ା ମାତ୍ର ଏହି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନାହିଁ। କୋରାପୁଟ ଜିଲାର ବୋରିଗୁମ୍ମା ବ୍ଲକରେ ଏପରି କେତେକ ଗ୍ରାମ ରହିଛି ସେହିସବୁ ଗ୍ରାମର କେହି ଜଣେ ହେଲେ ଗରିବ ଲୋକ ଉପରୋକ୍ତ ଯୋଜନାରେ ଆବାସଟିଏ ପାଇନାହାନ୍ତି। ବୋରିଗୁମ୍ମା ବ୍ଲକ ବଡିଗାଁ ପଞ୍ଚାୟତର ହାତିପକନା, ଗୁରୁମାଇଗୁଡା, ମାଣ୍ଡିଆବନ୍ଦ, ନାୟକଗୁଡା, ବାଲିଗୁଡା, ଫଟାମୁଣ୍ଡାଗୁଡା ଗ୍ରାମରେ ରହୁଥିବା ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ପରି ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର ବି.ହରି ରାଓ ଙ୍କ ନେତୃତ୍ୱରେ ଜୟପୁର ଉପଜିଲାପାଳ ହେମକାନ୍ତ ସାୟଙ୍କୁ ଭେଟିଥିଲେ। ଆମେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରହିଥିଲେ ମଧ୍ୟ ଆବାସ ଯୋଜନାରେ ସାମିଲ ହୋଇପାରିନାହୁଁ। ଆମପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡିନାହିଁ ା ପୂର୍ବରୁ ବୋରିଗୁମ୍ମା ବିଡିଓଙ୍କୁ ଭେଟିଥିଲୁ। ସେ ଆଧାରକାର୍ଡ ମାଗିବାରୁ ଦେଇଥିଲୁ। ବିଡିଓ ଏଯାଏ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆମ କଥା ନ ବୁଝିଲେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।