୭ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା: ଲେଖିଲେ ଏମିତି ବାର୍ତ୍ତା

ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ମହିଳାଙ୍କ ପାଇଁ ପୋଷ୍ଟ ଶେୟାର କରି ଏହି ବିଶେଷ ଦିନରେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅନ୍ତର୍ଜାତୀୟ ମହିଳା ଦିବସରେ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରିଛନ୍ତି, ଯାହା ଉପରେ ଅନେକ ଆଲୋଚନା ହେଉଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଫଶିଯାଇଥିଲେ ରିୟା ଚକ୍ରବର୍ତ୍ତୀ। ଏହି ମାମଲାରେ ତାଙ୍କ ନାମ ଯୋଡିବା ହେବାପରେ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରୁ ମଧ୍ୟ ଉଭାନ ହୋଇଯାଇଥିଲେ। ଏହାପୂର୍ବରୁ ସେ ଗତ ବର୍ଷ ଅଗଷ୍ଟ ୨୭ରେ ଶେଷ ପୋଷ୍ଟ କରିଥିଲେ। ଦୀର୍ଘ ୭ ମାସ ପରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ନିଜ ମା’ଙ୍କ ହାତ ଧରିଛନ୍ତି। ରିୟା ଚକ୍ରବର୍ତ୍ତୀ ଏହି ଫଟୋ ଶେୟାର କରି ଲେଖିଛନ୍ତି, ଆମ ପାଇଁ ମହିଳା ଦିବସ ଶୁଭେଚ୍ଛା … ମା ଏବଂ ମୁଁ … ସବୁଦିନ ପାଇଁ … ମୋର ଶକ୍ତି, ମୋର ବିଶ୍ୱାସ, ମୋର ଧୈର୍ଯ୍ୟ – ମା’। ରିୟା ଚକ୍ରବର୍ତ୍ତୀଙ୍କ ଏହି ଚିତ୍ର ଏବଂ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିନେତ୍ରୀଙ୍କ ଅନେକ ପ୍ରଶଂସକ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ପୋଷ୍ଟକୁ ବହୁତ ପସନ୍ଦ କରିଛନ୍ତି।

Share