Categories: Home Middleଖେଳ

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯:  ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି ଶତକ ଦେଖିବାକୁ ମିଳିଛି। ଏହା ଦିନିକିଆ କ୍ରିକେଟ ଇତିହାସରେ ଏକ ନୂଆ ରେକର୍ଡ। ଏହି ଐତିହାସିକ ରେକର୍ଡକୁ ନେଇ ଆଇସିସି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛି।
ଏହି ଦିନ ଭାରତ-ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ଏହି ୩ଟି ମ୍ୟାଚରେ ମୋଟ ୬ ଜଣ ବ୍ୟାଟର ଶତକ ହାସଲ କରିଥିଲେ।

୧. ବିରାଟ କୋହଲି ୧୩୯ ରନ

ୱେଷ୍ଟଇଣ୍ଡିଜ ବିପକ୍ଷରେ ତିରୁବନନ୍ତପୁରମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ। ଚେଜ କରୁଥିବା ବେଳେ କୋହଲି ୮୮ ବଲରୁ ଅପରାଜିତ ୧୩୯ ରନ କରିଥିଲେ। ତାଙ୍କ ଇନିଂସରେ ୧୦ଟି ଚୌକା ଓ ୯ଟି ଛକା ସାମିଲ ଥିଲା।

୨. ଶୁଭମନ ଗିଲ ୧୧୦ ରନ
ଭାରତୀୟ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲ ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିଲେ। ଗିଲ ୧୦୯ ବଲ୍ରେ ୧୩ଟି ଚୌକା ଓ ଗୋଟିଏ ଛକା ସହ ୧୧୦ ରନ୍ର ଇନିଂସ ଖେଳିଥିଲେ।

ଜଷ୍ଟିନ ଗ୍ରୀଭ୍ସ ୧୦୧ ରନ
ୱେଷ୍ଟଇଣ୍ଡିଜର ଜଷ୍ଟିନ ଗ୍ରୀଭ୍ସ ମଧ୍ୟ ଭାରତ ବିପକ୍ଷରେ ଶତକ ହାସଲ କରିଥିଲେ। ଓପନର ଭାବେ ମଇଦାନକୁ ଓହ୍ଲାଇଥିବା ଗ୍ରୀଭ୍ସ ୧୦୮ ବଲ୍ରେ ୧୨ଟି ଚୌକା ସହ ୧୦୧ ରନ କରିଥିଲେ।

୪. ଟେମ୍ବା ବାଭୁମା ୧୦୩ ରନ
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ୧୦୩ ରନ୍ର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଏହି ପାରି ଦକ୍ଷିଣ ଆଫ୍ରିକାର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

୫. ଡେଭିଡ ମିଲର ୧୪୨ ରନ
ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ୧୪୨ ରନ କରିଥିଲେ। ମିଲର ୯୩ ବଲ୍ରେ ୧୨ଟି ଚୌକା ଓ ୯ଟି ଛକା ମାରିଥିଲେ। ତାଙ୍କ ଧୂଆଁଧାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ୩୫୦ ରନରୁ ଅଧିକ ସ୍କୋର କରିଥିଲା।

୬. ଟମ ବାଣ୍ଟନ ୧୨୬ ରନ
ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ଇଂଲଣ୍ଡର ଓପନର ଟମ ବାଣ୍ଟନ ମଧ୍ୟ ଶତକ ହାସଲ କରିଥିଲେ। ବାଣ୍ଟନ ୧୦୫ ବଲରେ ୧୬ଟି ଚୌକା ଓ ୫ଟି ଛକା ସହ ୧୨୬ ରନ କରିଥିଲେ। ତାଙ୍କ ଶତକୀୟ ପାରି ବଳରେ ଇଂଲଣ୍ଡ ୩୫୦ରୁ ଅଧିକ ରନର ବଡ଼ ସ୍କୋର ଖଡ଼ା କରିଥିଲା ଏବଂ ୨୨୩ ରନ୍ର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲା।

ଏହିପରି ୨୭ ସେପ୍ଟେମ୍ବରରେ ମାତ୍ର ୩ଟି ଦିନିକିଆ ମ୍ୟାଚରେ ୬ଟି ଶତକ ଦେଖିବାକୁ ମିଳିବା କ୍ରିକେଟ ଇତିହାସରେ ଏକ ସ୍ମରଣୀୟ ଘଟଣା ପାଲଟିଛି।

Dharitri – Odisha’s No.1 Odia Daily

Share