ସାଢେ ୬ ମାସ ପରେ ପୁରୀରେ ପଜିଟିଭ ଶୂନ

ପୁରୀ ଅଫିସ,୩୦ା୧୧: ଦୀର୍ଘ ସାଢ଼େ ୬ମାସ ପରେ ପୁରୀ ସହରର ଦୈନିକ କରୋନା ପଜିଟିଭ ସଂଖ୍ୟା ଶୂନ ରହିଛି। ରବିବାର ପୁରୀ ଜିଲାରୁ ୧୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୌରାଞ୍ଚଳରୁ କୌଣସି ସଂକ୍ରମିତ ବାହାରି ନାହାନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୧୩,୫୪୨ରେ ପହଞ୍ଚତ୍ଛି। ଏମାନଙ୍କ ମଧ୍ୟରୁ ୧୩,୨୫୨ଜଣ ଆରୋଗ୍ୟ ହୋଇଥିବାବେଳେ ୧୮୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଜିଲାରୁ ୧,୭୦,୭୬୮ କୋଭିଡ୍‌ ଟେଷ୍ଟ କରାଯାଇଛି। ସୁସ୍ଥ ହାର ୯୭.୮୬ ପ୍ରତିଶତ ରହିଛି। ରବିବାର ଚିହ୍ନଟଙ୍କ ମଧ୍ୟରେ ପୁରୀ ପୌରାଞ୍ଚଳରୁ କୌଣସି ପଜିଟିଭ ବାହାରି ନ ଥିବାବେଳେ ବ୍ରହ୍ମଗିରି ଓ ପିପିଲିରୁ ୫ ଲେଖାଏ, କାକଟପୁର ଓ ପୁରୀ ସଦରରୁ ୨ ଲେଖାଏ ଏବଂ ଗୋପ ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି। ଗତ ଏପ୍ରିଲ ୩ରେ ପୁରୀ ଜିଲାର ପ୍ରଥମ ପଜିଟିଭ୍‌ ଚିହ୍ନଟ ହେବାର ୩୬ ଦିନ ଯାଏ ଜିଲାରେ କେହି କରୋନାରେ ଆକ୍ରାନ୍ତ ନ ଥିଲେ। କିନ୍ତୁ ମେ ୧୦ରେ ପୁରୀ ସହରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।