ସ୍ଥିତି ଅସମ୍ଭାଳ: ୪ ଦିନରେ ୧୬ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୪ ଦିନ ମଧ୍ୟରେ ଦେଶରେ ୧୬ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଚତୁର୍ଥ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ରହିଛି। ଗୁରୁବାର ଏହା ୪ ଲକ୍ଷ ୧୨ ହଜାର ଥିବାବେଳେ ଶୁକ୍ରବାର ୪ ଲକ୍ଷ ୧୪ ହଜାର ରହିଥିଲା। ସେହିପରି ଶନିବାର ୪ ଲକ୍ଷ ୧ ହଜାର ରହିଥିଲା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩ ହଜାର ୭୩୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪,୦୯୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇତି ମଧ୍ୟରେ ଦେଶରେ ୩୦ କୋଟି ୨୨ ଲକ୍ଷ ୭୫ ହଜାର ୪୭୧ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୬ କୋଟି ୯୪ ଲକ୍ଷ ୩୯ ହଜାର ୬୬୩ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି।

Share