ସ୍ଥିତି ଅଣାୟତ୍ତ, ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୪୮୩ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ଏହା ୧,୩୯୯ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିଛି। ଏହି ସମୟରେ ସକ୍ରିୟ ମାମଲା ୧୫ ହଜାର ଟପିଛି। ଏହା ୧୫ ହଜାର ୬୩୬ ରହିଛି। ସେହିପରି ୨୪ ଘଣ୍ଟାରେ ୧ ହଜାର ୯୭୦ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୬୨୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୬୨ ହଜାର ୫୬୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୨୩ ହଜାର ୩୧୧ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୦୧୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ୪୭୦ ଜଣ, କେରଳରେ ୨୯୦ ଜଣ, ଉତ୍ତରପ୍ରଦେଶରେ ୨୧୦ ଜଣ ଏବଂ ମିଜୋରାମ୍‌ରେ ୧୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୮ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୦ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share