ସ୍ଥିତି ଅଣାୟତ୍ତ ଆଶଙ୍କା, ସେପ୍ଟେମ୍ବର ପୂର୍ବରୁ ୧୦ ପ୍ରତିଶତ ଟିକାକରଣ ଅପରିହାର୍ଯ୍ୟ…

ଜେନେଭା,୩୧।୭: କରୋନା ମହାମାରୀ ବିରୋଧରେ ବିଜୟୀ ହେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ନୂଆ ରଣନୀତି ସମ୍ପର୍କରେ ସୂଚନା ଦିଆଯିବା ସହିତ ପୃଥିବୀର ସମସ୍ତ ଦେଶକୁ ଚେତାବନୀ ଦିଆଯାଇଛି। ଚଳିତ ୨୦୨୧ ବର୍ଷ ସେପ୍ଟେମ୍ବର ସୁଦ୍ଧା ୧୦ ପ୍ରତିଶତ ଲୋକଙ୍କର ଟିକାକରଣ ନ କରାଗଲେ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି। ଟିକାକରଣ ଅଭିଯାନକୁ ଗତିଶୀଳ କରିବାକୁ ସମସ୍ତ ଦେଶକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। ବର୍ଷ ଶେଷ ସୁଦ୍ଧା ସମସ୍ତ ଦେଶ ନିଜ ନିଜ ଜନସଂଖ୍ୟାର ୪୦ ପ୍ରତିଶତ ଟିକାକରଣ କରିବା ଜରୁରୀ।

କରୋନାର ତୃତୀୟ ଲହରର ଆଶଙ୍କା ଏବଂ ଡେଲଟା ଭାରିଆଣ୍ଟର ବୃଦ୍ଧି ଯୋଗୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ତେଣୁ ସମସ୍ତ ଦେଶ ସେପ୍ଟେମ୍ବର ଶେଷ ସୁଦ୍ଧା ଜନସଂଖ୍ୟାର ୧୦ ପ୍ରତିଶତ ଲୋକଙ୍କୁ ଟିକା ଦେବା ଅପରିହାର୍ଯ୍ୟ। ଅପରପକ୍ଷରେ ୨୦୨୨ ସୁଦ୍ଧା ୭୦ ପ୍ରତିଶତ ଜନସଂଖ୍ୟାଙ୍କୁ ଟିକାଦାନ ଉପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ ଗୁରୁତ୍ୱାରୋପ କରିଛନ୍ତି। ଡେଲ୍ଟା ଭାରିଆଣ୍ଟ୍‌ ଏବେ ୧୩୨ଟି ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି। ସେ କହିଛନ୍ତି ଯେ,ଏହାକୁ ରୋକିବା ପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ। କରୋନା ବିରୋଧରେ ଯୁଦ୍ଧ ଜିତିବା ପାଇଁ ଟିକା ଏକମାତ୍ର ପ୍ରତିରକ୍ଷା ବୋଲି ସେ କହିଛନ୍ତି।

Share