ସ୍ଥିତି ସଙ୍କଟ ଜନକ, ସକ୍ରିୟ ମାମଲା ଦେଢ଼ଲକ୍ଷ ମୁହାଁ…

ନୂଆଦିଲ୍ଲୀ, ୨୦।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୦ ହଜାର ୫୫୭ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୫ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୪୫ ହଜାର ୬୫୪ ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଦେଢ଼ ଲକ୍ଷ ଛୁଇଁବାର ଆଶଙ୍କା ରହିଛି।

ସେହିପରି ୨୪ ଘଣ୍ଟାରେ ୧୮ ହଜାର ୫୧୭ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୮୨୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୮ ଲକ୍ଷ ୩ ହଜାର ୬୧୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୧ ଲକ୍ଷ ୩୨ ହଜାର ୧୪୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ, ପଞ୍ଜାବ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଦି ୭ ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଓଡ଼ିଶା,କେରଳ, କର୍ନାଟକ ଏବଂ ପଞ୍ଜାବ ଆଦି ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଥିବାବେଳେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଏହା ଦୁଇ ହଜାର ଉପରେ ରହିଛି।

 

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୨୭୯ଜଣ, ପଶ୍ଚିମବଙ୍ଗରେ ୨,୨୪୩, ତାମିଲନାଡୁରେ ୨,୧୪୨ ଜଣ, ପଞ୍ଜାବରେ ୧,୯୪୧ ଜଣ କେରଳରେ ୧,୮୫୭ ଜଣ, କର୍ନାଟକରେ ୧,୧୫୧ ଜଣ, ଓଡ଼ିଶାରେ ୧,୧୨୨ ଜଣ, ଗୁଜରାଟରେ ୭୮୭, ଆସାମରେ ୭୫୫ ଜଣ, ତେଲେଙ୍ଗାନାରେ ୬୫୮, ହିମାଚଳପ୍ରଦେଶରେ ୬୧୬ ଜଣ, ଛତିଶଗଡ଼ରେ ୫୯୫ ଜଣ, ଦିଲ୍ଲୀରେ ୫୮୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୪୮୦ ଜଣ, ଆନ୍ଧ୍ରପ୍ରଦେଶରେ ୪୬୫ ଜଣ, ଉତ୍ତରପ୍ରଦେଶରେ ୩୮୭ ଜଣ, ତ୍ରିପୁରାରେ ୩୬୫ ଜଣ, ଜମ୍ମୁ-କଶ୍ମୀରରେ ୩୩୩ ଜଣ, ବିହାରରେ ୩୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଝାଡ଼ଖଣ୍ଡରେ ୧୯୩ ଜଣ, ରାଜସ୍ଥାନରେ ୧୮୦ ଜଣ, ସିକିମ୍‌ରେ ୧୭୬ ଜଣ , ମଧ୍ୟପ୍ରଦେଶରେ ୧୫୯ ଜଣ, ଉତ୍ତରାଖଣ୍ଡରେ ୧୪୮ ଜଣ, ମିଜୋରାମରେ ୧୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୦ କୋଟି ୬୧ ଲକ୍ଷ ୨୪ ହଜାର ୬୮୪ରେ ପହଞ୍ଚିଛି । ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ୪ ହଜାର ୭୯୭ ଟିକା ପ୍ରଦାନ କରାଯାଇଛି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share