ଡରାଇଲାଣି ୪ ଜିଲାର ସ୍ଥିତି

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ୪ଟି ଜିଲାର ସ୍ଥିତି ଉଦ୍‌ବେଗଜନକ ରହିଛି। ବିଶେଷ କରି ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାର ସ୍ଥିତି ଭୟଙ୍କର ରହିଛି। ଯଦିଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, କିନ୍ତୁ ସୁନ୍ଦରଗଡ଼ ଓ ସମ୍ବଲପୁରରେ ଦୈନିକ ସଂକ୍ରମଣ ହାର ଅଧିକ ରହୁଛି। ଗତ ଦୁଇିଦନ ହେଲା ଏହି ଦୁଇଟି ଜିଲାରେ ସଂକ୍ରମଣ ହାର ପ୍ରାୟ ୨୦ପ୍ରତିଶତ ରହୁଥିବା ବେଳେ ଖୋର୍ଦ୍ଧା ଜିଲାରେ ୧୦ ପ୍ରତିଶତ ରହୁଛି। ସେପଟେ ସୁନ୍ଦରଗଡ଼ ଜିଲା ୟେଲୋ ଜୋନ୍‌ରୁ ଏବେ ରେଡ୍‌ ଜୋନ୍‌ରେ ସାମିଲ ହୋଇଛି। ଫଳରେ ବର୍ତ୍ତମାନ ଖୋର୍ଦ୍ଧା, ସୁନ୍ଦରଗଡ଼ ଜିଲା ରେଡ୍‌ ଜୋନ୍‌ରେ ରହିଥିବା ବେଳେ ସମ୍ବଲପୁର ଓ କଟକ ଜିଲା ୟେଲୋ ଜୋନ୍‌ରେ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪,୩୦୪ ନମୂନା ପରୀକ୍ଷା କରାଯାଇଥିବା ବେଳେ ୪,୮୨୯ଜଣ କରୋନା ପଜିଟିଭ୍‌ ବାହାରିଛନ୍ତି। ଫଳରେ ସଂକ୍ରମଣ ହାର ୬.୫% ହୋଇଯାଇଛି। ଏଥି ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୯୩୩ ଜଣ ଥିବା ବେଳେ ସୁନ୍ଦରଗଡ଼ରେ ୮୬୯, ସମ୍ବଲପୁର ୬୪୪, କଟକ ୪୦୧, ବାଲେଶ୍ୱର ୨୧୦, ଝାରସୁଗୁଡ଼ା ୧୮୯, ମୟୂରଭଞ୍ଜ ୧୬୨, ପୁରୀ ୧୩୦, ବଲାଙ୍ଗୀର ୧୦୪ ଜଣ ଚିହ୍ନଟ ହୋଇଛନ୍ତି। ବାକି ସବୁ ଜିଲାରେ ସକ୍ରମିତଙ୍କ ସଂଖ୍ୟା ଶହେ ତଳକୁ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚତ୍ଛି।

ଅପରପକ୍ଷେ ରାଜ୍ୟରେ ଏବେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ହଜାର ଟପିଛି। ମୋଟ ସକ୍ରିୟ ରୋଗୀ ସଂଖ୍ୟା ୨୦,୧୪୬ ରହିଛି। ଏଥି ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬,୩୮୩ଜଣ ଥିବା ବେଳେ ସୁନ୍ଦରଗଡ଼ରେ ୨,୯୯୧ ଜଣ ରହିଛନ୍ତି। ସେହିଭଳି ସମ୍ବଲପୁରରେ ୧,୯୦୨, କଟକରେ ୧,୪୯୫ ଜଣ ରହିଛନ୍ତି। ମାଲକାନଗିରିରେ ସର୍ବନିମ୍ନ ୨୦ଜଣ ସକ୍ରିୟ ରୋଗୀ ରହିଥିବା ରାଜ୍ୟ କୋଭିଡ ଡ୍ୟାସବୋର୍ଡରୁ ସୂଚନା ମିଳିଛି।