ଘରେ ବସି ମାସକୁ ଦରମା ଲକ୍ଷେ: ୩ ବର୍ଷରେ ମିଳିବ ୩୮ ଲକ୍ଷ

ବର୍ଲିନ୍‌, ୨୯।୮: କରୋନା ମହାମାରୀ ସମୟରେ ପୁଣି ଘରେ ବସି ମାସକୁ ଲକ୍ଷେ ଟଙ୍କା ଦରମା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ଜର୍ମାନୀରେ ଏକ ଦାତବ୍ୟ ଅନୁଷ୍ଠାନ ମାଇନ୍‌ ଗ୍ରୁଣ୍ଡ୍‌ଆଇନ୍‌କମନ୍‌ (ମାଇଁ ବେସିକ୍‌ ପେ)ପକ୍ଷରୁ ଏକ ସର୍ଭେ କରାଯାଉଛି। ଏଥିରେ ବିନା କାମ ନ କରି ଘରେ ବସି ଦରମା ପାଇଲେ ଲୋକଙ୍କୁ କିପରି ଅନୁଭବ ହେବ ସେ ସମ୍ପର୍କରେ ରିସର୍ଚ୍ଚ କରାଯିବ। ଏଥିପାଇଁ ୧୨୦ ଜଣଙ୍କୁ ଚୟନ କରାଯିବ। ସେମାନଙ୍କୁ ମାସ ପିଛା ଲକ୍ଷେ ଟଙ୍କା ଦରମା ପ୍ରଦାନ କରାଯାଇ ୩ ବର୍ଷ ପର୍ଯ୍ୟନ୍ତ ରଖାଯିବ। ୩ ବର୍ଷରେ ପ୍ରତି ଲୋକ ୩୮ ଲକ୍ଷ ଦରମା ପାଇବେ ବୋଲି କୁହାଯାଉଛି। ଦରମା ଉପରେ ଆୟକର ମଧ୍ୟ ଛାଡ଼ ହେବ। ଏନେଇ ୧୫୦୦ ଆବେଦନ ଆସିବ ବୋଲି ସଂସ୍ଥା ପକ୍ଷରୁ ଅନୁମାନ କରାଯାଉଥିଲା। ତେବେ ଆବେଦନ ସଂଖ୍ୟା ଏବେ ୧୫ ଲକ୍ଷ ଟପିଛି। ଏହି ସର୍ଭେ ଜର୍ମାନୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ରିସର୍ଚ୍ଚର ୟୁଏର୍ଗନ ଶୁପ୍‌ଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହେଉଛି। କାମ ନ କରି ଦରମା ପାଇବା ଏବଂ ଏହାକୁ ଖର୍ଚ୍ଚ କରିବା ସହଜ ହେଉଛି କି ନାହିଁ ତାହାର ସର୍ଭେ କରାଯିବ ବୋଲି ଶୁପ୍‌ ସୂଚନା ଦେଇଛନ୍ତି। ଶୁପ୍‌ଙ୍କ ସହିତ ଏନେଇ ଡାୟଚେ ବେଲେ ସାକ୍ଷାତ୍‌କାର କରିଥିଲେ।

Share