ପୁରୁଷୋତ୍ତମପୁର,୧।୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ପଞ୍ଚ ଠାକୁରାଣୀ ଯାତ୍ରାରେ ଶନିବାର ରାତିରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଦୁଇ ମହାଦେବ କପିଳେଶ୍ବର ଓ ସ୍ବପ୍ନେଶ୍ୱର ପୃଥକ ପୃଥକ ଭାବରେ ବିବାହ ଲାଗି ଶୋଭାଯାତ୍ରାରେ ଯାଉଥିବା ବେଳେ ସହର ପରିକ୍ରମାରେ ଯାଉଥିବା ପାଞ୍ଚଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀଙ୍କ ସହ ରାସ୍ତାରେ ଭେଟ ହୋଇଥିଲା। ଫଳରେ ଏହି ବିରଳଦୃଶ୍ୟ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏହି ସମୟରେ ସାତଜଣ ଦେବାଦେବୀଙ୍କ ମହାଆଳତି ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବା ସହ ଆର୍ଶିବାଦ ଭିକ୍ଷା ଲାଗି ଶହଶହ ସଂଖ୍ୟାରେ ଭକ୍ତଙ୍କ ଭିଡଜମିଥିଲା। ସାତ ଠାକୁର ଠାକୁରାଣୀଙ୍କୁ ଏକାଥରକେ ଦର୍ଶନକରି ଭକ୍ତମାନେ ସୌଭାଗ୍ୟ ମନେକରିଥିଲେ।


