ପରୀ ହତ୍ୟାକାଣ୍ଡ: ଏଲ୍‌ଭିଏ ଟେଷ୍ଟ ଆବେଦନ ପ୍ରତ୍ୟାହାର କଲା ଏସ୍‌ଆଇଟି

ନୟାଗଡ ଅଫିସ,୨୦।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ ବା ଲେୟର୍‌ଡ ଭଏସ୍‌ ଆନାଲିସିସ୍‌ (ଏଲ୍‌ଭିଏ) ହୋଇପାରିଲା ନାହିଁ। ଏଲ୍‌ଭିଏ ଟେଷ୍ଟ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ପ୍ରତ୍ୟାହାର କରିନେବାରୁ ଶୁକ୍ରବାର ଚିଲଡ୍ରେନ କୋର୍ଟରେ ଶୁଣାଣି ହୋଇପାରି ନ ଥିଲା। ତେବେ ମାର୍ଚ୍ଚ ୧ରେ କୋର୍ଟ ଚାର୍ଜଫ୍ରେମ୍‌ କରିବେ ବୋଲି ସରକାରୀ ଓକିଲ ଅନୱାର ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ କଲେଜ ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର କୁହନ୍ତି, କିଶୋର ନ୍ୟାୟ ପରିଷଦରେ ଯେଉଁ ପ୍ରାରମ୍ଭିକ ନିର୍ଦ୍ଧାରଣ କରାଯାଇଥିଲା ସେଥିରେ କଲେଜ ଛାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରାରମ୍ଭିକ ନିର୍ଦ୍ଧାରଣର ପୁନର୍ବିଚାର ନିମନ୍ତେ ଚିଲଡ୍ରେନ କୋର୍ଟରେ ଶୁକ୍ରବାର କଲେଜ ଛାତ୍ରଙ୍କ ପକ୍ଷରୁ ସେ ଆବେଦନ କରିଛନ୍ତି। ସେହିପର ଏସଆଇଟି ଚାର୍ଜଶିଟ୍‌ ସମ୍ପୂର୍ଣ୍ଣ ପ୍ରଦାନ କରିଥିବାରୁ କଲେଜ ଛାତ୍ରଙ୍କର ଏଲ୍‌ଭିଏ ଟେଷ୍ଟର ଗ୍ରହଣୀୟତା ଉପରେ ସେ ପ୍ରଶ୍ନ ଉଠାଇଥିଲେ। ସମ୍ପୂର୍ଣ୍ଣ ଚାର୍ଜଶିଟ୍‌ ଦାଖଲ କାରଣରୁ ଏଲ୍‌ଭିଏ ଟେଷ୍ଟ ଫଳାଫଳ କାର୍ଯ୍ୟରେ ଲାଗିବ ନାହିଁ। ଅନ୍ୟପକ୍ଷରେ ଅପିଲ କରାଯିବାରୁ ପ୍ରଥମେ କୋର୍ଟ ଅପିଲ ଶୁଣାଣି କରିବେ। ପୁଣି କିଶୋର ନ୍ୟାୟ ପରିଷଦଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ଆଇନଗତ ପ୍ରାବଧାନ ଚିଲଡ୍ରେନ କୋର୍ଟର ନାହିଁ। ଏଣୁ ଏସ୍‌ଆଇଟି ବାଧ୍ୟ ହୋଇ ଏଲଭିଏ ଟେଷ୍ଟ ଆବେଦନ ପ୍ରତ୍ୟାହାର କରିନେଲା ବୋଲି କହିଛନ୍ତି।