କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ ଝୁମିଥିଲେ ଉପସ୍ଥିତ ଦର୍ଶକ।

ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଭିଶା ବୈଠାରୁ (ପ୍ରାଚୀ) ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ସେହିପରି ତାଙ୍କ ଭାଇ ନିଶବ ବୈଠାରୁ ମଧ୍ୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ଉଭୟେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଆୟୋଜକ ପ୍ରଶାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

ନିଭିଶା ଓ ନିଶବ ଗଞ୍ଜାମ ସହରର ୱାର୍ଡ ନଂ. ୩ ଦୁର୍ଗାଦେବୀ ସାହିର ଚନ୍ଦ୍ରଶେଖର ବୈଠାରୁ ଓ ସୁଇଟି ବୈଠାରୁଙ୍କ ପୁଅ ଓ ଝିଅ। ନିଭିଶା ସ୍ଥାନୀୟ ଜୟଶ୍ରୀ କରମେଟ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ନିଶବ ଦ୍ୱିତୀୟ ଶ୍ରେଣୀର ଛାତ୍ର।

ନିଭିଶା ତାଙ୍କ ବଡ଼ବାପା ତଥା ପ୍ରଥମ ଗୁରୁ କିଶୋର ବୈଠାରୁଙ୍କଠାରୁ ପ୍ରଥମେ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ବର୍ତ୍ତମାନ ସେ ସ୍ଥାନୀୟ ଅଞ୍ଚଳର କାନକେୟା ରେଡ୍ଡୀଙ୍କଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରୁଛନ୍ତି।

ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ପ୍ରାଚୀଙ୍କ ଗୁଣୁଗୁଣୁ ଗୀତ ଶୁଣି ବାପା ଚନ୍ଦ୍ରଶେଖର ଓ ମାଆ ସୁଇଟି ଦେବୀ ଝିଅକୁ ସଙ୍ଗୀତ ଶିକ୍ଷା ଦେବା ପାଇଁ ଉତ୍ସାହିତ କରିଥିଲେ। ଅନେକ ଷ୍ଟେଜ୍‌ ପ୍ରୋଗ୍ରାମରେ ଦେଶାତ୍ମବୋଧକ ସଙ୍ଗୀତ, ଆଧୁନିକ ଗୀତ ଓ ଭଜନ ଆଦି ପରିବେଷଣ କରି ପ୍ରାଚୀ ଚର୍ଚ୍ଚାରେ ରହିଆସିଛନ୍ତି।

Share