ଆକ୍ରମଣକାରୀ ଭାଇଙ୍କ ଗିରଫ ଦାବି କଲେ ଭଉଣୀ: ଥାନା ସାମ୍ନାରେ ଆମରଣ ଅନଶନ

ତିହିଡି଼,୨୫।୧୧(ସଞ୍ଜିତ ବଳ): ଆକ୍ରମଣକାରୀ ଭାଇଙ୍କ ସମେତ ବାପଘରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବାରେ ପୋଲିସ ଅବହେଳା ପ୍ରଦର୍ଶନ କରିଥିବା ପ୍ରତିବାଦରେ ଭଉଣୀ ସ୍ନିଗ୍ଧାରାଣୀ ତିହିଡି଼ ବ୍ଲକ ଅଧୀନ ପୀରହାଟ ଥାନା ସାମ୍ନାରେ ବୁଧବାର ଆମରଣ ଅନଶନ କରିଛନ୍ତି l
ଘଟଣାରୁ ଜଣାଯାଇଛି ଯେ, ତିହିଡି଼ ଥାନା ଗୁଆମାଳ ପଞ୍ଚାୟତ ଅଧୀନ ମୋଡ଼ସାହି ଗ୍ରାମର ସ୍ନିଗ୍ଧାରାଣୀ ବେହେରା (୫୧) ଗତ ମାସ ୧୮ତାରିଖରେ କଣ୍ଡରଗ ଗ୍ରାମସ୍ଥିତ ତାଙ୍କ ବାପଘରକୁ ଯାଇଥିଲେ। ପୂର୍ବରୁ ଉପୁଜିଥିବା ସମସ୍ୟାର ସମ୍ପର୍କୀୟଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ସେ ସେଠାକୁ ଯାଇଥିଲେ l ଆଲୋଚନାବେଳେ ସ୍ନିଗ୍ଧାରାଣୀଙ୍କୁ ତାଙ୍କ ଭାଇମାନେ ଗାଳିଗୁଲଜ କରିଥିଲେ l ସେ ଏହାର ପ୍ରତିବାଦ କରିବା ସହ ମୋବାଇଲରେ ଏହାକୁ ରେକର୍ଡିଙ୍ଗ କରିବାରୁ ଅପରପକ୍ଷମାନେ ତାଙ୍କ ମୋବାଇଲ ଓ ଭ୍ୟାନିଟ ବ୍ୟାଗ ଛଡ଼ାଇ ନେବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ସ୍ନିଗ୍ଧାରାଣୀ ପୀରହାଟ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ l ପୋଲିସ ଏହି ଅଭିଯୋଗ କ୍ରମେ ଏକ ମକଦ୍ଦମା (ନଂ ୨୪୩/୨୬) ରୁଜୁକରିଥିଲେ। ମାତ୍ର ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଫଳ ହେବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ସ୍ନିଗ୍ଧାରାଣୀ ଆମରଣ ଅନଶନ କରିଥିବା ଜଣାଯାଇଛି।

 

Dharitri – Odisha’s No.1 Odia Daily

 

Share