Categories: ଜାତୀୟ

‘ସିବିଆଇକୁ ସ୍ବାଗତ, ଆମେ ସହଯୋଗ କରିବୁ’

ନୂଆଦିଲ୍ଲୀ,୧୯।୮: ଅବକାରୀ ପଲିସିକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉ କରିଛି। ଅବକାରୀ ପଲିସି ଲିଙ୍କରେ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନ ଉପରେ ସିବିଆଇ ପକ୍ଷରୁ ଚଢାଉ କରିଯାଇଛି। ଏହି ଚଢାଉ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି,ଯେଉଁ ଦିନ ଆମେରିକାର ସବୁଠୁ ବଡ଼ ଖବରକାଗଜର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ଶିକ୍ଷା ମଡେଲକୁ ପ୍ରଶଂସା କରାଯାଇଥିଲା ଏବଂ ମନୀଷ ସିସୋଡିଆଙ୍କ ଫଟୋ ଛପା ଯାଇଥିଲା, ସେହି ଦିନ କେନ୍ଦ୍ର ମନୀଷଙ୍କ ଘରକୁ ସିବିଆଇ ପଠାଇଥିଲା, ସିବିଆଇକୁ ସ୍ବାଗତ। ସମ୍ପୂର୍ଣ୍ଣ ସହଯୋଗ କରିବୁ। ଅତୀତରେ ମଧ୍ୟ ଅନେକ ଯାଞ୍ଚ/ ଚଢାଉ ହୋଇଛି। କିଛି ମିଳିଲା ନାହିଁ। ଏବେ ବି କିଛି ମିଳିବ ନାହିଁ।
ସେ ଅନ୍ୟ ଏକ ଟୁଇଟରେ କହିଛନ୍ତି, ସମଗ୍ର ବିଶ୍ୱ ଦିଲ୍ଲୀର ଶିକ୍ଷା ଏବଂ ସ୍ବାସ୍ଥ୍ୟ ମଡେଲ ଉପରେ ଆଲୋଚନା କରୁଛି। ସେମାନେ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଦିଲ୍ଲୀର ସ୍ବାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀଙ୍କ ଘରେ ଚଢାଉ ଓ ଗିରଫ ହେଉଛି। ୭୫ ବର୍ଷ ମଧ୍ୟରେ ଯିଏ ଭଲ କାମ କରିବାକୁ ଚେଷ୍ଟା କଲା, ତାଙ୍କୁ ରୋକିବାକୁ ଚେଷ୍ଟା କରାଯାଏ। ସେଥିପାଇଁ ଭାରତ ପଛରେ ରହିଯାଇଛି। ଦିଲ୍ଲୀର ଭଲ କାମ ବନ୍ଦ ହେବାକୁ ଦେବୁ ନାହିଁ।
ଏହି ଚଢାଉ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଟୁଇଟ୍‌ କରି କହିଛନ୍ତି ଯେ, ସିବିଆଇ ଆସିଛି। ସ୍ବାଗତଯୋଗ୍ୟ। ଆମେ ସଚ୍ଚୋଟ। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମାନେ ଆମ ଦେଶରେ ଭଲ କାମ କରନ୍ତି ସେମାନେ ଏହିପରି ହଇରାଣ ହରକତ ହେଉଛନ୍ତି। ସେଥିପାଇଁ ଆମ ଦେଶ ଏପର୍ଯ୍ୟନ୍ତ ଏକ ନମ୍ବର ହୋଇପାରି ନାହିଁ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ଅନିୟମିତା ପ୍ରକାଶ ପାଇଥିଲା। ଏହି ଘଟଣାରେ ଦିଲ୍ଲୀ ଉପରାଜ୍ୟପାଳ ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପି କ୍ରୀଷ୍ଣ ଏବଂ ଉପ ଅବକାରୀ କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ନିଲମ୍ବନ ହୋଇଛନ୍ତି। ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ଉକ୍ତ ଅଧିକାରୀମାନେ ତ୍ରୁଟି କରିବାରୁ ଦିଲ୍ଲୀ ଉପରାଜ୍ୟପାଳ ସେମାନଙ୍କୁ ନିଲମ୍ବନ କରିଛନ୍ତି।

Share