୧୩ରୁ ଶିଶିର ସରସ ମେଳା

ଭୁବନେଶ୍ୱର, ୨୯।୧୨ (ବ୍ୟୁରୋ): ବିଶ୍ୱକପ୍‌ ହକି ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣିଦେଉଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ରୁରାଲ ଡେଭେଲପ୍‌ମେଣ୍ଟ ଆଣ୍ଡ୍‌ ମାର୍କେଟିଂ ସୋସାଇଟି (ଓରମାସ୍‌)। ଜାନୁୟାରୀ ୧୩ରୁ ଓର୍‌ମାସ୍‌ ପକ୍ଷରୁ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଶିଶିର ସରସ ମେଳା ଆରମ୍ଭ ହେବ ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବୁଧବାର ୟୁନିଟ-୮ ସ୍ଥିତ ଏସ୍‌ଆଇଆର୍‌ଡି ଆଣ୍ଡ ପିଆର୍‌ କନ୍‌ଫରେନସ ହଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜାନୁୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜାତୀୟ ସ୍ତରୀୟ ମେଳାରେ ମୋଟ ୩୫୦ଟି ଷ୍ଟଲ ରହିବ। ଓଡ଼ିଶାର ୩୦ଟି ଜିଲାରୁ ଏସଏଚ୍‌ଜିଙ୍କ ହାତ ତିଆରି ସାମଗ୍ରୀ ସହିତ ୨୬ଟି ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ, ଖାଦ୍ୟ ଓ ମସଲା ସାମଗ୍ରୀ ଆଦି ବିକ୍ରି ହେବ। ମେଳାରେ ପ୍ରତି ସନ୍ଧ୍ୟାରେ ବିଶିଷ୍ଟ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସ୍ବତନ୍ତ୍ର ଫୁଡକୋର୍ଟ ସହ ସେଲ୍‌ଫି ପଏଣ୍ଟ, ଓପନ କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ। ଏଥିସହ ହକି ବିଶ୍ୱକପ ସମୟରେ ଓର୍‌ମାସ୍‌ ଜିଲା ମୁଖ୍ୟାଳୟଗୁଡିକରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବ। ମେଳା ବୁଲିବାକୁ ଆସିଥିବା ଗ୍ରାହକ ତଥା ପରିଦର୍ଶକଙ୍କ ପାଇଁ ବଡ଼ ଏଲଇଡି ସ୍କ୍ରିନ୍‌ରେ ହକି ମ୍ୟାଚର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି। ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭୁବନେଶ୍ୱର କମିଶନରେଟ ଓ ଟ୍ରାଫିକ ପୋଲସର ବରିଷ୍ଠ ଅଧିକାରୀଙ୍କ ସହିତ ମିଶନ ଶକ୍ତି ବିଭାଗ, ବିଏମ୍‌ସି, ବିଡିଏ, ୱାଟ୍‌କୋ, ନାବାର୍ଡ, ଏସ୍‌ଏସ୍‌ଇପିଡି, ଇମେଜ୍‌ ଓ ଟ୍ରାଇଫେଡ୍‌ ସହ ବିଭିନ୍ନ ସରକାରୀ ସଂସ୍ଥା ଏବଂ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ପ୍ରତିନିଧି ଯୋଗଦେଇଥିଲେ।