ଓ୍ବେଲିଂଟନ୍,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୀମିତ ଓଭର ସିରିଜ ଶେଷ ହେବା ପରେ ଏବେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ବେଶ ଚର୍ଚ୍ଚା ହୋଇଛି। ଚାରି ଜଣ ଦ୍ରୁତ ବୋଲରଙ୍କୁ ସୁଯୋଗ ମିଳିଥିବା ବେଳେ ଅଭିଜ୍ଞ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି। ଅଧିନାୟକ ଶୁବମନ ଗିଲ ଓ ଟିମ ମ୍ୟାନେଜମେଣ୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର୍ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି।
ଗାଭାସ୍କର କହିଛନ୍ତି, ଭାରତୀୟ ଟେଷ୍ଟ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ସିରାଜ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛନ୍ତି। ବିଶେଷକରି ବିଦେଶ ମାଟିରେ ତାଙ୍କ ବୋଲିଂ ପ୍ରଦର୍ଶନ ଉଲ୍ଲେଖନୀୟ। ଦେଶ ପାଇଁ ନିୟମିତ ଖେଳି ଭଲ ପ୍ରଦର୍ଶନ କରୁଥିବା ଜଣେ ବୋଲରଙ୍କୁ ଦଳରୁ ବାଦ ଦେବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସିରାଜ ଟେଷ୍ଟ ଦଳ ସହ ବିଳମ୍ବରେ ଯୋଗ ଦେବା ସମୟରୁ ତାଙ୍କୁ ନେଇ କିଛି ସଙ୍କେତ ମିଳିଥିଲା। ଶେଷ ଦିନିକିଆ ମ୍ୟାଚ ଖେଳିବା ପରେ ସେ ଟେଷ୍ଟ ଦଳରେ ମଧ୍ୟ ସୁଯୋଗ ପାଇବେ ବୋଲି ତାଙ୍କର ଆଶା ଥିଲା। କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବା ଆଶ୍ଚର୍ଯ୍ୟଜନକ। ସିରାଜ ଦେଶ ପାଇଁ ଖେଳିବା ସମୟରେ କେବେ ନିରାଶ କରିନାହାନ୍ତି ବୋଲି ଗାଭାସ୍କର କହିଛନ୍ତି।
ସିରାଜଙ୍କ ବୋଲିଂ ଫର୍ମକୁ ନେଇ ମଧ୍ୟ ଗାଭାସ୍କର ସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ମତରେ, ସିରାଜଙ୍କ ବୋଲିଂରେ କୌଣସି ବିଶେଷ ଦୁର୍ବଳତା ଦେଖାଯାଇନାହିଁ। ସେ ଭଲ ଲୟରେ ଅଛନ୍ତି ଏବଂ ନିକଟରେ ଖେଳିଥିବା ମ୍ୟାଚ୍ଗୁଡ଼ିକରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କୁ କାହିଁକି ସୁଯୋଗ ମିଳିଲାନି, ତାହା ବୁଝିବା କଷ୍ଟକର ବୋଲି ସେ କହିଛନ୍ତି। ତେବେ ସିରାଜଙ୍କ ସ୍ଥାନରେ ଚୟନ ହୋଇଥିବା ଖେଳାଳିମାନେ ଭଲ ପ୍ରଦର୍ଶନ କରନ୍ତୁ ବୋଲି ଗାଭାସ୍କର ଆଶା ପ୍ରକାଶ କରିଛନ୍ତି। ୱେଲିଂଟନ ଟେଷ୍ଟରେ ଜଶପ୍ରୀତ ବୁମ୍ରାଙ୍କ ସହ ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା ଓ ଅଂଶୁଲ କାମ୍ବୋଜଙ୍କୁ ଦ୍ରୁତ ବୋଲର ଭାବେ ଦଳରେ ସ୍ଥାନ ମିଳିଛି।