Categories: ଖେଳ

ସିରାଜଙ୍କ ଚମତ୍କାର ବୋଲିଂ: ନ୍ୟୁଜିଲାଣ୍ଡକୁ ୧୨ ରନ୍‌ରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ୍‌,୧୮।୧: ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୧୨ ରନ୍‌ରେ ପରାସ୍ତ କରିଛି। ୩୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୪୯.୨ ଓଭରରେ ୩୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ବିଜୟ ସହ ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସଓ୍ବେଲ ଶତକ ହାସଲ କରିଥିଲେ। ସେ ୭୮ ବଲ୍‌ରେ ବିସ୍ଫୋରକ ୧୪୦ ରନ୍‌ କରିଥିଲେ। ସେହିପରି ମାଇକେଲ ସାଣ୍ଟନର ୫୭, ଫିନ୍‌ ଆଲେନ ୪୦ କରିଥିଲେ। ୧୧୨ ରନ୍‌ ସ୍କୋରରେ ନ୍ୟୁଜିଲାଣ୍ଡର ଅଧା ଟିମ୍‌ ପାଭିଲିୟନ ଫେରିଥିଲେ। ଲାଗୁଥିଲା ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ମ୍ୟାଚ୍‌ ପରାଜୟ ହାସଲ କରିବ। କିନ୍ତୁ ବ୍ରେସ୍‌ଓ୍ବେଲ ଏବଂ ସାଣ୍ଟନର ଯୋଡି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ୪ ଉଇକେଟ୍‌ ନେଇଥିଲେ। କୂଳଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏ ଉଇକେଟ୍‌ ନେଇଥିବାବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।
ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ଆଠ ଉଇକେଟ ହରାଇ ୩୪୯ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଶୁଭମାନ ଗିଲ ସର୍ବାଧିକ ୨୦୮ ରନ ସ୍କୋର କରିଥିଲେ। ସେ ଦିନିକିଆରେ ଭାରତ ପାଇଁ ଦ୍ୱିଶତକ ହାସଲ କରିବାରେ ଗିଲ ପଞ୍ଚମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଶୁଭମନଙ୍କ ବ୍ୟତୀତ ରୋହିତ ଶର୍ମା ୩୪, ସୂର୍ଯ୍ୟକୁମାର ଯାଦବ ୩୧, ହାର୍ଦ୍ଦିକ ପାଣ୍ଡ୍ୟା ୨୮ ଏବଂ ୱାଶିଂଟନ ସୁନ୍ଦର ୧୨ ରନ ସ୍କୋର କରିଥିଲେ। ବିରାଟ କୋହଲିଙ୍କୁ ୮ ଏବଂ ଇଶାନ କିଶନ ପାଞ୍ଚ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ହେନେରି ଶିପ୍ଲେ ଏବଂ ଡାରେଲ ମିଚେଲ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Share