Categories: ଖେଳ

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ସିରାଜ୍‌

ନୂଆଦିଲ୍ଲୀ,୨୦।୯: ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୮ ସ୍ଥାନ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟାଇଟଲ ମ୍ୟାଚରେ ସିରାଜ ୭ ଓଭରରେ ମାତ୍ର ୨୧ ରନ ଦେଇ ୬ଟି ଉଇକେଟ ନେଇଥିଲେ।
ଏସିଆ କପ ଆରମ୍ଭ ପୂର୍ବରୁ ମହମ୍ମଦ ସିରାଜ ୬୪୩ ରେଟିଂ ପଏଣ୍ଟ ସହ ଦିନିକିଆ ର଼୍ୟାଙ୍କିଙ୍ଗରେ ୯ ନମ୍ବରରେ ଥିଲେ। ବର୍ତ୍ତମାନ ସେ ୮ଟି ସ୍ଥାନକୁ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ବର୍ତ୍ତମାନ ୬୯୪ ରେଟିଂ ପଏଣ୍ଟ ଅଛି। ଏସିଆ କପରେ ହାରାହାରି ୧୨.୨ରେ ସିରାଜ ୧୦ଟି ଉଇକେଟ ନେଇଥିଲେ। ଏହାପୂର୍ବରୁ ମହମ୍ମଦ ସିରାଜ ମାର୍ଚ୍ଚ ୨୦୨୩ରେ ନମ୍ବର-୧ ସ୍ଥିତିରେ ପହଞ୍ଚିଥିଲେ, ପରେ ଜୋଶ ହାଜଲେଉଡ ତାଙ୍କୁ ସେହି ସ୍ଥାନରୁ ହଟାଇ ଦେଇଥିଲେ।
ସର୍ବଶେଷ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ପାକିସ୍ତାନ ଅଧିନାୟକ ବାବର ଆଜାମ ନିଜର ପ୍ରଥମ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ, କିନ୍ତୁ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ନିଶ୍ଚିତ ଭାବରେ ରେଟିଂ ପଏଣ୍ଟରେ ବ୍ୟବଧାନ ହ୍ରାସ କରିଛନ୍ତି। ବାବର ବର୍ତ୍ତମାନ ୮୫୭ ରେଟିଂ ପଏଣ୍ଟ ପାଇଛନ୍ତି। ଗିଲ ୮୧୪ ରେଟିଂ ପଏଣ୍ଟ ପାଇଛନ୍ତି। ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କେବଳ ୪୩ ରେଟିଂ ପଏଣ୍ଟ ଅନ୍ତର ଅଛି। ବିରାଟ କୋହଲି ମଧ୍ୟ ଗୋଟିଏ ସ୍ଥାନକୁ ଡେଇଁ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।

Share