ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି। ନିଜ ପରିଚୟ ପ୍ରମାଣ କରିବା ପାଇଁ ତାଙ୍କୁ ଶୁଣାଣିରେ ଉପସ୍ଥିତ ହେବାକୁ ନୋଟିସ ଦିଆଯାଇଛି। କର୍ନାଟକରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ (SIR) ପ୍ରକ୍ରିୟା ସମୟରେ ତାଙ୍କ ନାମର ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଏହି ନୋଟିସ ଜାରି ହୋଇଛି।

ବେଙ୍ଗାଲୁରୁରେ ଜନ୍ମିତ ୯୨ ବର୍ଷୀୟ ପ୍ରଫେସର ସିଏନଆର ରାଓ ବିଜ୍ଞାନ କ୍ଷେତ୍ରରେ ଦେଶର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ। ବିଜ୍ଞାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଛି। ଭାରତ ରତ୍ନ ପାଇଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ସେ ତୃତୀୟ।

ପୁରୁଣା ଭୋଟର ତାଲିକାରେ ପ୍ରଫେସର ରାଓଙ୍କ ନାମ ‘Prof CNR Rao’ ଭାବେ ଲେଖାଯାଇଥିଲା। ତେବେ ବର୍ତ୍ତମାନର ଭୋଟର ତାଲିକାରେ ‘Prof’ ଶବ୍ଦରେ ଏକ ଅତିରିକ୍ତ ‘f’ ଯୋଡ଼ାଯାଇ ‘Proff CNR Rao’ ଲେଖାଯାଇଥିବା ଜଣାପଡ଼ିଛି।

‘ସେଲ୍ଫ-ନେମ ମିସମ୍ୟାଚ’ର ଅର୍ଥ ହେଉଛି ଭୋଟରଙ୍କ ନାମ କିମ୍ବା ଅନ୍ୟ ବିବରଣୀରେ ଅସଙ୍ଗତି। ଅର୍ଥାତ୍‌ ୨୦୦୨ ମସିହାର ଭୋଟର ତାଲିକାରେ ଥିବା କୌଣସି ଭୋଟର SIR ଏନ୍ୟୁମେରେସନ ଫର୍ମ ପୂରଣ ସମୟରେ ପୁରୁଣା ତାଲିକାର ତଥ୍ୟ ବ୍ୟବହାର କରନ୍ତି। କିନ୍ତୁ ସେହି ତଥ୍ୟ ବର୍ତ୍ତମାନର ଭୋଟର ତାଲିକାର ତଥ୍ୟ ସହ ମେଳ ନ ଖାଇଲେ ଏହାକୁ ‘ସେଲ୍ଫ-ନେମ ମିସମ୍ୟାଚ’ ଭାବେ ଦର୍ଶାଯାଏ।
ନିୟମ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ନାମରେ ନୋଟିସ ଜାରି ହୋଇଛି, କେବଳ ସେହି ବ୍ୟକ୍ତି ଶୁଣାଣିରେ ହାଜର ହୋଇପାରିବେ। ତେଣୁ ସିଏନଆର ରାଓଙ୍କୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ (IISc) ନିକଟସ୍ଥ ମଲ୍ଲେଶ୍ୱରମରେ ହେବାକୁ ଥିବା ଶୁଣାଣିରେ ଉପସ୍ଥିତ ହେବାକୁ କୁହାଯାଇଛି।
ସଲିଡ-ଷ୍ଟେଟ ଓ ଷ୍ଟ୍ରକ୍ଚରାଲ କେମିଷ୍ଟ୍ରି କ୍ଷେତ୍ରରେ ଗବେଷଣା ପାଇଁ ପ୍ରଫେସର ସିଏନଆର ରାଓ ବିଶ୍ୱର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ପରିଚିତ। ବିଜ୍ଞାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହୋଇଛନ୍ତି।

ନୋବେଲ ପୁରସ୍କାରକୁ ଛାଡ଼ିଦେଲେ ବିଜ୍ଞାନ କ୍ଷେତ୍ରର ପ୍ରାୟ ସମସ୍ତ ପ୍ରମୁଖ ସମ୍ମାନ ଓ ପୁରସ୍କାର ସେ ହାସଲ କରିଛନ୍ତି। ତାଙ୍କ ଭଳି ଜଣେ ପ୍ରତିଷ୍ଠିତ ବୈଜ୍ଞାନିକଙ୍କ ନାମ ଭୋଟର ତାଲିକାରେ ନାଁ ତ୍ରୁଟି ଯୋଗୁ ଶୁଣାଣିକୁ ଆସିବା ଘଟଣା ଏବେ ଚର୍ଚ୍ଚାରେ ରହିଛି।

 

Dharitri – Odisha’s No.1 Odia Daily

 

Share