Categories: ଫୁରସତ

ବର୍ଷକର ଛୁଆକୁ କୋଳରେ ଧରି ଅଟୋ ଚଲାଉଛନ୍ତି ମା’

ନୋଏଡା,୨୬।୯: ନୋଏଡାର ଚଞ୍ଚଳ ଶର୍ମା ଉତ୍ତର ପ୍ରଦେଶରେ ଇ-ରିକ୍ସା ଚଲାଇ ପରିବାର ପାଳୁଛନ୍ତି। ଭାଗ୍ୟର ବିଡମ୍ବନା ଯୋଗୁ ଚଞ୍ଚଳଙ୍କୁ ବର୍ଷକର ପୁଅକୁ ସାଥୀରେ ନେଇ ଅଟୋ ଚଳାଇବାକୁ ପଡ଼େ। ପୁଅକୁ କୋଳରେ ଧରି ପ୍ରତିଦିନ ସକାଳୁ ଘରକାମ ସାରି ବାହାରି ଯାନ୍ତି କାମରେ। ବାହାଘରର ମାତ୍ର କେଇଟା ଦିନ ପରେ ସ୍ବାମୀ ତାଙ୍କୁ ଛାଡ଼ିଦେଇଥିଲେ। ପରିବାର ପାଳିବା ପାଇଁ ସେ ଅଟୋ ରିକ୍ସା ଚଲାଇବା ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ଅନ୍ୟ ଅଟୋ ଚାଳକ ଚଞ୍ଚଳଙ୍କ କାର୍ଯ୍ୟରେ ବାଧକ ସାଜୁଥିବା ବେଳେ ଏବେ ସେ ସୁରୁଖୁରୁରେ ଅଟୋ ଚଳାଇ ଦିନକୁ ୬ଶହରୁ ୭ଶହ ଟଙ୍କା ରୋଜଗାର କରୁଛନ୍ତି। ଆୟ ଟଙ୍କାର ଅଧା ଚାଲିଯାଉଛି ଅଟୋ ଲୋନ୍‌ରେ। ବାକି ଟଙ୍କାରେ ଘର ଖର୍ଚ୍ଚ ହେଇଯାଉଛି। ଚଞ୍ଚଳାଙ୍କ ମା’ ଘର ପାଖ ବଜାରରେ ପିଆଜ ବିକ୍ରି କରୁଥିବା ବେଳେ ତାଙ୍କ ଭାଇ ଘରେ ରୁହନ୍ତି ନାହିଁ। ପିଲାର ଯତ୍ନ ନେବା ପାଇଁ ଘରେ କେହି ନ ଥିବାରୁ ସେ ପ୍ରତିଦିନ ପୁଅକୁ ସାଥୀରେ ନେଇ ଅଟୋ ଚଲାଇବାକୁ ଯାଉଛନ୍ତି। ବିଶେଷକରି ମହିଳା ଯାତ୍ରୀ ତାଙ୍କ ଆଟୋରେ ଯାଆସ କରିବାକୁ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି। ତେବେ ଚଞ୍ଚଳାଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ସେ ସମସ୍ତ ମହିଳାଙ୍କ ପାଇଁ ଏକ ପ୍ରେରଣାଦାୟକ।

Share