ଥୁଆମୂଳ ରାମପୁର, ୨୩ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କଲମପୁର-ଥୁଆମୂଳ ରାମପୁର ମୁଖ୍ୟରାସ୍ତାର ସିଙ୍ଗାରି ଘାଟି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଥୁଆମୂଳ ରାମପୁର ବ୍ଲକବାସୀଙ୍କ ପାଇଁ ଜୀବନରେଖା ସାଜିଥିବା ଏହି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ରାସ୍ତାର ଉନ୍ନତୀକରଣ ତଥା ମରାମତି ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ସୁଫଳ ମିଳିନାହିଁ। ଏହି ରାସ୍ତା ଦେଇ ନେତା, ମନ୍ତ୍ରୀଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପ୍ରତିନିଧି ବ୍ଲକ ପରିଦର୍ଶନରେ ଆସୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଅଭିଯୋଗ ହେଉଛି। ନିୟମିତ ଭାରିଯାନ ଚଳାଚଳ ଯୋଗୁ ସିଙ୍ଗାରି ଘାଟି ରାସ୍ତା ବେହାଲ ହୋଇପଡିଛି। ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିବର୍ଷ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ରାସ୍ତା ଅବସ୍ଥାରେ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ସୁରକ୍ଷା ଦୃଷ୍ଟିରୁ ରାସ୍ତାର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ଓ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷା ସମୟରେ ପାହାଡରୁ ଖସୁଥିବା ପାଣି ରାସ୍ତାକୁ ଧୋଇ ନେଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ମିନିକେତନ କାର୍ଜିଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ଟେଣ୍ଡର କି ସର୍ଭେ ହୋଇନାହିଁ। ଏଠାରେ ଜଙ୍ଗଲ ବିଭାଗର ମୁଖ୍ୟ ଭୂମିକା ରହିଛି। ସେମାନେ ଯେ ପର୍ଯ୍ୟନ୍ତ ଉକ୍ତ ଘାଟି ରାସ୍ତାର ସର୍ଭେ କରି ନାହାନ୍ତି କିମ୍ବା କରିବାକୁ ଦେଇନାହାନ୍ତି ସେ ପର୍ଯ୍ୟନ୍ତ କିଛି ହୋଇପାରିବ ନାହିଁ। ଏହା ରିଜର୍ଭ ଏରିଆ ହୋଇଥିବାରୁ ଆମକୁ ଅନୁମତି ଦେଲେ କିଛି କରିହେବ ବୋଲି କହିଛନ୍ତି l


