ଗାଉଛନ୍ତି ୮ ଭାଷାରେ ଗୀତ

ଢେଙ୍କାନାଳ ଅଫିସ, ୧୭।୪: ନିଜର ଅସାଧାରଣ ପ୍ରତିଭା ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଢେଙ୍କାନାଳର ସାଇସମ୍ପନ୍ନା। ସ୍ଥାନୀୟ ମଣ୍ଟଫର୍ଟ ସ୍କୁଲ ଏଲ୍‌କେଜିରେ ପଢୁଥିବା ଏହି କୁନିଝିଅ ନିଜର ବିଚକ୍ଷଣ ବୁଦ୍ଧି, ସଙ୍ଗୀତ ଗାନ କୌଶଳ ପାଇଁ ଚର୍ଚ୍ଚା ସାଉଁଟୁଛନ୍ତି। ବୟସ ଯେ ପ୍ରତିଭା ବିକାଶର ଏକ ମାପକାଠି ନୁହେଁ, ତାହାକୁ ପ୍ରମାଣିତ କରିଛନ୍ତି ଏହି ଶିଶୁ କଳାକାର।
ସାଇସମ୍ପନ୍ନା ହେଉଛି ବାଜିଚୌକ ନିବାସୀ ବ୍ୟବସାୟୀ ନୃସିଂହ କୁମାର ପୃଷ୍ଟି ଏବଂ ମା’ ସ୍ବର୍ଣ୍ଣଲକ୍ଷ୍ମୀ ସାହୁଙ୍କ ଏକମାତ୍ର କନ୍ୟା। ସାଧାରଣ ପିଲା ତୁଳନାରେ ତାଙ୍କ ଧୀଶକ୍ତି ବେଶ୍‌ ପ୍ରଖର। ଗୀତ ହେଉ କି ପାଠ ସବୁଥିରେ ସେ ଆଗୁଆ। କୌଣସି ବିଷୟକୁ ଥରେ ଦୁଇଥର ଦେଖିଦେଲେ କିମ୍ବା ପଢ଼ିଦେଲେ ତାହାକୁ ମୁଖସ୍ଥ କରିଦେଉଛନ୍ତି। ମାତ୍ର ଅଢ଼େଇ ବର୍ଷର ହୋଇଥିବାବେଳେ ତାଙ୍କର ପ୍ରତିଭା ଲୋକଲୋଚନକୁ ଆସିଥିଲା। ସେତେବେଳେ ସେ ଇଂଲିଶ, ହିନ୍ଦୀ ରାଇମ୍ସ, ଇଂଲିଶ ବର୍ଣ୍ଣମାଳା, ସଂସ୍କୃତ ଶ୍ଳୋକ ସହ ଓଡ଼ିଆ ଓ ହିନ୍ଦୀ ଗୀତ ନିର୍ଭୁଲ ଭାବେ ବୋଲିପାରୁଥିଲେ। ସ୍ମରଣଶକ୍ତି ପାଇଁ ଇଣ୍ଡିଆ ବୁକ ଅଫ୍‌ ରେକର୍ଡସ୍‌ରେ ତାଙ୍କ ନାମ ସାମିଲ ହୋଇଥିଲା। ସେହିପରି ମାତ୍ର ୫୪ ସେକେଣ୍ଡରେ ଜାତୀୟ ସଙ୍ଗୀତ ଗାନ କରି ଓ୍ବାଲର୍‌ଡ ବୁକ୍‌ ଅଫ୍‌ ଇଣ୍ଡିଆ, ଓ୍ବାଲର୍‌ଡ ବୁକ୍‌ ଅଫ୍‌ ନାଇଜେରିଆ ରେକର୍ଡସ୍‌ର ଅଧିକାରୀ ହୋଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ପ୍ରତିଭା ସମ୍ମାନ, ବାଲ୍‌ରତ୍ନ ପୁରସ୍କାର-୨୦୨୧ରେ ମଧ୍ୟ ସମ୍ମାନିତ କରାଯାଇଛି। ଏକଦା ୫ ମିନିଟରେ ୨୮ଟି ବଲିଉଡ୍‌ ଗୀତର କୋରସ ଗାଇ ସମସ୍ତଙ୍କୁ ଚମତ୍କୃତ କରିଥିବା ସାଇସମ୍ପନ୍ନା ଏବେ ଓଡ଼ିଆ, ହିନ୍ଦୀ, ଇଂଲିଶ, ତେଲୁଗୁ ସମେତ ୮ ଭାଷାରେ ଗୀତ ଗାଇପାରୁଛନ୍ତି। ସେ ଏବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ତାଙ୍କ ମା’ବାପା ତାଙ୍କୁ ସହାୟତା କରୁଥିବା କହିଛନ୍ତି।