କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ ତାଙ୍କର ଅଡୁଆ ବଢ଼ିଯାଇଛି। ସୌରିନଙ୍କ ବିରୋଧରେ ଲାଗୁ ହୋଇଥିବା ଜାମିନ ବିହୀନ ଗିରଫ ପରଓ୍ବାନା ଉପରେ ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି। ଅଦାଲତି ମାମଲାରେ ସୌରିନଙ୍କ ଆଚରଣକୁ ନେଇ ହାଇକୋର୍ଟ ବିରକ୍ତ ପ୍ରକାଶ କରି ଏପରି ଆଦେଶ ଦେଇଛନ୍ତି। ଏଥିସହ ଅଦାଲତରେ କିପରି ସୌରିନ ହାଜର ହେବେ ସେନେଇ ନିମ୍ନ ଅଦାଲତ ଦୃଢ଼ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।
ସୂଚନାନୁସାରେ, ଜଣେ ଯୁବତୀଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଓ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନ ଫେରାଇବା ଅଭିଯୋଗ ଆଧାରରେ କଟକ ମହିଳା ଥାନାରେ ପୀଡ଼ିତାଙ୍କ ଏତଲା ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। କଟକ ଏସ୍ଡିଜେଏମ୍ କୋର୍ଟ ୨୦୨୩ ନଭେମ୍ବର ୨୩ରେ ସୌରିନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍ବିଡବ୍ଲ୍ୟୁ) ଜାରି କରିଥିଲେ। ଏହା ବିରୋଧରେ ସୌରୀନ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟ ନିମ୍ନ ଅଦାଲତଙ୍କ ଜାମିନ ବିହୀନ ଗିରଫ ପରଓ୍ବାନା ଉପରେ ରହିତାଦେଶ ଜାରି କରିବା ସହ ସୌରିନଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସେ ଆତ୍ମସମର୍ପଣ ନ କରି ବାରମ୍ବାର ଦିନ ଗଡ଼ାଇ ଚାଲିଥିଲେ। ଶେଷ ଥର ପାଇଁ ଅଦାଲତଙ୍କୁ ଦେଇଥିବା ତଥ୍ୟ ମୁତାବକ ଗତ ୨୦ ତାରିଖ ପୂର୍ବରୁ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ତେବେ ସେ ହାଜର ନ ହେବାରୁ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି।
Dharitri – Odisha’s No.1 Odia Daily