ପାଲାଗାୟକ ଚିନ୍ମୟ ବଳଭଦ୍ର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର, ୮।୫ (ବ୍ୟୁରୋ): ବିଶିଷ୍ଟ ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡାଙ୍କ ପରଲୋକ ହୋଇଛି। ଗୁରୁବାର ରାତିରେ ଗଣ୍ଡରପୁରସ୍ଥିତ ତାଙ୍କ ଝିଅ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୫ ବର୍ଷ ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। କୋଭିଡ୍‌ କଟକଣା ମଧ୍ୟରେ ପୈତୃକ ଗାଁ ପୁରୀ ଜିଲା ପିପିଲି ସୁରଙ୍ଗପଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପାଲା ଜଗତରେ ନୂଆ ଧାରା ସୃଷ୍ଟି କରିଥିଲେ ବଳଭଦ୍ର। ପାଲାରେ ଭାଗବତ ସହ ଆଧ୍ୟାତ୍ମିକ ଚିନ୍ତନ, ସାମାଜିକ ବାର୍ତ୍ତା, ସମାଜ ଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସଚେତନତା ଆଦିକୁ ଯୋଡିଥିଲେ। ସେ ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ଉପାଧ୍ୟକ୍ଷ ଥିଲେ। ତାଙ୍କ ବିୟୋଗରେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ସଭାପତି ମଦନମୋହନ ଜେନା, ଶ୍ରୀ ଜଗନ୍ନାଥ ପାଲା କଳାକାର ମହାସଂଘ ସଭାପତି ନିରଞ୍ଜନ ସ୍ବାଇଁ, ସୁରେନ୍ଦ୍ର ନାଥ ଛୋଟରାୟ, ନାରାୟଣ ମହାରଣା, ବନମାଳୀ ପତି, ଦୁଷ୍ମନ୍ତ କୁମାର ବେହେରା, ବିଶ୍ୱଜିତ ନାୟକ, ମୁରଲୀଧର ପଣ୍ଡା, ଅଜୟ ମହାପାତ୍ର, ସୋନିଆ ମହାପାତ୍ର, ଧୀର ମହାରଣା, ବେଣୁଧର ଷଡଙ୍ଗୀ,ବସନୁ ମହାରଣା, ନିର୍ଦ୍ଦେଶକ ଅଞ୍ଜନ କୁମାର ଜେନା ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।