ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘X’ରେ ଏକ ପୋଷ୍ଟ ଶେୟାର କରି ଆସନ୍ତା ବର୍ଷ ପର୍ଯ୍ୟନ୍ତ ଫିଲ୍ମ ସଙ୍ଗୀତରୁ ବ୍ରେକ୍ ନେବାକୁ ଯାଉଥିବା ଜଣାଇଛନ୍ତି। ଏହି ଘୋଷଣା ପରେ ତାଙ୍କ ଫ୍ୟାନ୍ସମାନେ ନିରାଶ ହେବା ସହ ତାଙ୍କ ସ୍ବାସ୍ଥ୍ୟକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରୁଛନ୍ତି।
ନିକଟରେ ରିଲିଜ ହୋଇଥିବା ଇମ୍ରାନ ହାଶମୀ ଓ ଦିଶା ପଟାନୀଙ୍କ ଫିଲ୍ମ ‘ଆୱାରାପନ ୨’ ପାଇଁ ଅମାଲ ମଲିକ ‘ୟେ ଆୱାରାପନ’ ଗୀତ କମ୍ପୋଜ କରିଥିଲେ। ଏହି ଗୀତକୁ ଦର୍ଶକଙ୍କ ପକ୍ଷରୁ ଭଲ ପ୍ରତିକ୍ରିୟା ମିଳିଛି। ଏହା ପରେ ଅମାଲଙ୍କ ଫିଲ୍ମ ସଙ୍ଗୀତରୁ ବ୍ରେକ ନେବା ଘୋଷଣା ଫ୍ୟାନ୍ସଙ୍କୁ ନିରାଶ କରିଛି।
ଅମାଲ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି ଏବଂ ଏଥର ନିଜ ପାଇଁ ଯାହା ଭଲ, ତାହା କରିବାକୁ ସେ ପୂରା ଚେଷ୍ଟା କରିବେ। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟ ଓ ହୃଦୟ ପାଇଁ ଯାହା ଭଲ, ସେ କେବଳ ସେହି କାମ କରିବେ।
ଅମାଲ ଆହୁରି କହିଛନ୍ତି ଯେ ତାଙ୍କୁ ମନ, ଶରୀର ଓ ଆତ୍ମାକୁ ସୁସ୍ଥ କରିବା ପାଇଁ କିଛି ସମୟର ବ୍ରେକ୍ ଆବଶ୍ୟକ। ନିଜର ପ୍ରଶଂସକମାନଙ୍କୁ ସେ ‘ଅମାଲିଆନ୍ସ’ ବୋଲି ସମ୍ବୋଧନ କରି ଶୀଘ୍ର ସୁସ୍ଥ ହୋଇ ନୂଆ ଧୁନ୍ରେ ଭରା ହୃଦୟ ସହ ପୁଣି ସମସ୍ତଙ୍କ ମଧ୍ୟକୁ ଫେରିବାକୁ ଚାହୁଁଥିବା କହିଛନ୍ତି।
ଅମାଲଙ୍କ ଏହି ଘୋଷଣା ପରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ନିଜ ଯତ୍ନ ନେବାକୁ କହିବା ସହ ଶୀଘ୍ର ଫେରିବା ପାଇଁ ଶୁଭେଚ୍ଛା ଜଣାଉଛନ୍ତି।