ଆମେରିକାର ବ୍ରିଜ୍‌ ଭୁଶୁଡିବା ଘଟଣା: ଜାହାଜ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଓ୍ବାଶିଂଟନ୍‌,୨୭।୩: ଆମେରିକାର ମେରିଲ୍ୟାଣ୍ଡସ୍ଥିତ ବାଲଟିମୋର ସହରରେ ଏକ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଏକ ଜାହାଜ ସହିତ ଧକ୍କା ହେତୁ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ନିଖୋଜ ଥିବା ୬ ଶ୍ରମିକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତେବେ ଜାହଜର କ୍ରୁ ମେମ୍ବରଙ୍କ ଯୋଗୁ ବଡ ଦୁର୍ଘଟଣା ଟଳି ଯାଇଥିବା ସ୍ଥାନୀୟ ଗଭର୍ନର କହିଛନ୍ତି। ତେଣୁ ଜାହଜର ସମସ୍ତ କ୍ରୁ ମେମ୍ବରଙ୍କୁ ଧନ୍ୟବାଦ ଜଣାଇ ସେ ହିରୋ ଆଖ୍ୟା ଦେଇଛନ୍ତି । ଏହି ଜାହାଜଟି ୨୨ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଉଥିଲା।

ପ୍ରାୟ ୩୦୦ ମିଟର ଲମ୍ବ ବିଶିଷ୍ଟ ଏହି କାର୍ଗୋ ଜାହାଜରେ ସିଙ୍ଗାପୁର ପତାକା ଲାଗିଥିଲା। ଏହି ଜାହାଜଟି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ଯାଉବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ କାର୍ଗୋ ଜାହାଜର ସମସ୍ତ ୨୨ କର୍ମଚାରୀ ହେଉଛନ୍ତି ଭାରତୀୟ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି।

ଆମେରିକାର ମେରିଲ୍ୟାଣ୍ଡର ଗଭର୍ନରଙ୍କ କହିବାନୁଯାୟୀ, ବ୍ରିଜରେ ଧକ୍କା ହେବାର କିଛି ମିନିଟ ପୂର୍ବରୁ କ୍ରୁ ମେମ୍ବର ଆଲର୍ଟ କଲ୍‌ ଦେଇଥିଲେ। ଫଳରେ ତୁରନ୍ତ ବ୍ରିଜ୍‌ର ଉଭୟ ପାର୍ଶ୍ୱର ଟ୍ରାଫିକକୁ ବନ୍ଦ କରି ଦିଆଯାଇଥିଲା। ଏଥିଯୋଗୁ ବହୁ ଲୋକଙ୍କ ଜୀବନ ବଞ୍ଚିଯାଇଛି।

 

Share