Categories: ଜାତୀୟ

ଗୁରୁବାର ଫେରିବେ ସିନ୍ଧେ ଗୋଷ୍ଠୀ

ମୁମ୍ବାଇ, ୨୯ା୬: ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ଜବାବ ଦେବାକୁ ସୁପ୍ରିମକୋର୍ଟ ସୁଯୋଗ ଦେବା ପରେ ଶିବିରର ସେନାପତି ଏକନାଥ ସିନ୍ଧେ ଗଣମାଧ୍ୟମକୁ ସାମ୍ନା କରିଛନ୍ତି। ସିନ୍ଧେ ଗୁଆହାଟୀ ଯିବାର ୬ ଦିନ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଦେଖାଇଛନ୍ତି। ବିଦ୍ରୋହୀ ବିଧାୟକମାନେ ଅବସ୍ଥାନ କରୁଥିବା ରେଡିସନ୍‌ ବ୍ଲ୍ୟୁ ହୋଟେଲ ବାହାରେ ଖବରଦାତାଙ୍କୁ ସିନ୍ଧେ କହିଛନ୍ତି, ମୋ ସହ ୫୦ ଜଣ ଅଛନ୍ତି। ସେମାନେ ହିନ୍ଦୁତ୍ୱ ପାଇଁ ସ୍ବଇଚ୍ଛାରେ ଗୁଆହାଟୀକୁ ଆସିଛନ୍ତି। ଆମେ ବାଲାସାହେବ ଠାକ୍‌ରେଙ୍କ ହିନ୍ଦୁତ୍ୱ ଲିଗାସି ଆଗକୁ ବଢ଼ାଇବୁ। ହିନ୍ଦୁତ୍ୱ ସୁରକ୍ଷା ପ୍ରଥମ ଲକ୍ଷ୍ୟ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ସିନ୍ଧେ ନିଜ ସମର୍ଥକ ବିଧାୟକମାନଙ୍କ ସହ ଗୁରୁବାର ମୁମ୍ବାଇ ଫେରିବେ ବୋଲି ସୂଚନା ଦେଇଛନ୍ତି। ସିନ୍ଧେ ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋଶିୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆସ୍ଥାଭୋଟ ଲାଗି ଚ୍ୟାଲେଞ୍ଜ ଦେବା ପାଇଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିପାରନ୍ତି। ଏପରି କି ମୁମ୍ବାଇ ଗସ୍ତ ପୂର୍ବରୁ ସେ ଦିଲ୍ଲୀ ଗସ୍ତ କରି ଭାଜପା ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Share