Categories: ଖେଳ

ଆଇପିଏଲ୍‌ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୧।୮ : ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ମୁଖ୍ୟ କୋଚ୍‌ ସାଇମନ କାଟିଚ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି। ଏହା ଆରସିବି ପାଇଁ ବଡ଼ ଧକ୍କା ସଦୃଶ। କାରଣ କାଟିଚ୍‌ଙ୍କ ନେତୃତ୍ୱରେ ୪ ବର୍ଷ ପରେ ୨୦୨୦ରେ ପ୍ରଥମ ଥର ପାଇଁ ଆଇପିଏଲ ପ୍ଲେ-ଅଫ୍‌ ଖେଳିଥିଲା ଆର୍‌ସିବି। ତାଙ୍କୁ ୨୦୧୯ ଅଗଷ୍ଟରେ ଦଳର ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ କରାଯାଇଥିଲା।

ଏବେ କାଟିଚ୍‌ଙ୍କ ସ୍ଥାନରେ ଫ୍ରାଞ୍ଚାଇଜର ଡିରେକ୍ଟର ଅଫ୍‌ କ୍ରିକେଟ ମାଇକ୍‌ ହେସନ କୋଚ୍‌ ଭାର ସମ୍ଭାଳିବେ। ଏହାବାଦ୍‌ ଚଳିତ ସିଜନର ବଳକା ମ୍ୟାଚ୍‌ ପାଇଁ ଶ୍ରୀଲଙ୍କାର ଓ୍ବାନିନ୍ଦା ହାସାରଙ୍ଗା, ଦୁଶମନ୍ଥା ଚମିରା ଓ ସିଙ୍ଗାପୁରର ଟିମ୍‌ ଡେଭିଡ୍‌ଙ୍କୁ ଆର୍‌ସିବି ସାମିଲ କରାଯାଇଛି। ଏମାନଙ୍କୁ ଦୁବାଇରେ ପହଞ୍ଚିବା ପରେ ୬ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ।

ଆସନ୍ତା ୨୧ ତାରିଖରେ ଭାରତୀୟ ଖେଳାଳି, ସପୋର୍ଟ ଷ୍ଟାଫ ଓ ଟିମ୍‌ ମ୍ୟାନେଜମେଣ୍ଟ ବେଙ୍ଗାଲୁରୁରେ ଏକତ୍ରିତ ହେବେ। ଏହାପରେ ସେମାନଙ୍କୁ ଏକ ସପ୍ତାହ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଦିନକୁ ୩ ଥର ସେମାନଙ୍କ କୋଭିଡ୍‌ ଟେଷ୍ଟ କରାଯିବ ବୋଲି ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି।

Share