ସମସ୍ୟା ଘେରରେ ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ନାହିଁ ନାହିରେ ଚାଲିଛି। ରୋଗୀଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତର, ଫାର୍ମାସିଷ୍ଟ, ଆୟୁଷ ଡାକ୍ତର, ଆଟେଣ୍ଡାଣ୍ଟ ରହିଥିଲେ ସୁଦ୍ଧା ଆରୋଗ୍ୟ କେନ୍ଦ୍ରରେ ଦୈନିକ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଆବଶ୍ୟକ ଇଞ୍ଜେକ୍ସନ, ସାଲାଇନ ଆଦି ଦେବା ପାଇଁ ଜଣେ ଷ୍ଟାଫ ନର୍ସର ଆବଶ୍ୟକ ଥିବା ବେଳେ ସେହି ପଦବୀ ଖାଲି ପଡ଼ିଛି। ପୂର୍ବରୁ କାର୍ଯ୍ୟ କରୁଥିବା ଷ୍ଟାଫ ନର୍ସଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲେ ସୁଦ୍ଧା ସେହି ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇନି। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରିକାଳୀନ ସେବା ପାଇଁ ମାତ୍ର ଗୋଟିଏ ରୋଗୀ ଶଯ୍ୟା ରହିଛି। ଫଳରେ ଏକାଧିକ ରୋଗୀଙ୍କ ପାଇଁ ଶଯ୍ୟା ଆବଶ୍ୟକ ପଡିଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ପରୀକ୍ଷା କେନ୍ଦ୍ର ଅସ୍ଥାୟୀ କୋଠାରେ କରାଯିବା ବ୍ୟବସ୍ଥା କରାଯାଇଥିବା ବେଳେ ଜଣେ ଲ୍ୟାବ କର୍ମଚାରୀଙ୍କୁ ମାତ୍ର ସପ୍ତାହରେ ଦୁଇଦିନ ନିଯୁକ୍ତି ଦିଆଯାଉଛି। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ରୋଗର ଚି଼ହ୍ନଟ ପାଇଁ ଲୋକେ ରକ୍ତ ପରୀକ୍ଷା କରେଇବା ପାଇଁ ଦାରିଙ୍ଗବାଡି, ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଯାଇ ପରୀକ୍ଷା କରି ବହୁ ଖର୍ଚ୍ଚାନ୍ତ ଭୋଗୁଛନ୍ତି। ଆଉ ଗରିବଶ୍ରେଣୀର ଲୋକ ମାନେ ଏହା କରିନପାରି ହଇରାଣ ଭୋଗୁଛନ୍ତି। ସେହିପରି ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ, ଡାକ୍ତର ଓ ଆସୁଥିବା ରୋଗୀମାନଙ୍କ ପାଇଁ ଶୌଚାଳୟ ନଥିବାରୁ ବହୁତ ହଟହଟା ହେବାକୁ ପଡୁଛି। ବିଶେଷ କରି ମହିଳା ରୋଗୀ ଓ କର୍ମଚାରୀ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଉକ୍ତ ଆରୋଗ୍ୟ କେନ୍ଦ୍ର ପରିସର ମଧ୍ୟରେ ୩୩ କେଭି ବିଦ୍ୟୁତ ତାର ଯାଇଥିବାରୁ ଆରୋଗ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଓ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ନେଇ ଭୟଭୀତ ହେଉଛନ୍ତି। କାରଣ ବହୁ ପୁରାତନ ବିଦ୍ୟୁତ ତାର ହୋଇଥିବାରୁ ଛିଣ୍ଡି ଯିବା ଆଶଙ୍କା ରହିଛି। ସେହିପରି କେନ୍ଦ୍ର ପରିସରରେ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ରହିଥିବାରୁ କୌଣସି ନୂତନ କୋଠା କାର୍ଯ୍ୟ କରାଯାଇପାରୁନଥିବା ଜଣାପଡିଛି। ଏହିସବୁ ସମସ୍ୟା ସମ୍ପର୍କରେ ଅଧିକାରୀ, ଜିଲା ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିବା ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲିକ କହିଛନ୍ତି। ଷ୍ଟାଫ ନର୍ସ ନିଯୁକ୍ତି ନିହାତି ଜରୁରୀ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏ ନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି ଯେ, ଏବେ ୯୬ ଲକ୍ଷ ଟଙ୍କା ବିନିମୟରେ ନୂତନ ସ୍ବାାସ୍ଥ୍ୟକେନ୍ଦ୍ର କୋଠା କରାଯିବା ପାଇଁ ଟେଣ୍ଡର ସରିଛି। ଏକ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ କରାଯିବ ଏବଂ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଗୃହ ସମେତ ଶୌଚାଳୟର ବ୍ୟବସ୍ଥା ରହିବ।