ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟ ହୁଏ, ତେବେ ଏହାର ତଦନ୍ତରେ ସିମ୍ ଧାରକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିପାରେ। ଦୂରସଞ୍ଚାର ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୧ରେ ଜାରି ଆଡଭାଇଜରିରେ ସିମ୍ କାର୍ଡ ବ୍ୟବହାର ଓ ନିୟମକୁ ନେଇ ଲୋକଙ୍କୁ ସଚେତନ କରାଯାଇଛି । ଫର୍ଜି ଆଇଡିରେ ସିମ୍ କିଣିବା-ବିକ୍ରି କରିବା କିମ୍ବା ମୋବାଇଲର IMEI ନମ୍ବରରେ ହେରଫେର କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ଦୂରସଞ୍ଚାର ବିଭାଗ ଛତିଶଗଡ଼ରେ ସାମ୍ନାକୁ ଆସିଥିବା ଏକ ସାଇବର ଠକେଇ ଘଟଣା ପରେ ଏହି ଆଡଭାଇଜରି ଜାରି କରିଛି । ରିପୋର୍ଟ ଅନୁସାରେ, ଜଣେ ସିମ୍ ବିକ୍ରେତା ଏଜେଣ୍ଟ ଲୋକଙ୍କ ଡକ୍ୟୁମେଣ୍ଟର ଅପବ୍ୟବହାର କରି ସେମାନଙ୍କ ଅଜାଣତରେ ୨୫ଟି ଫର୍ଜି ସିମ୍ ଆକ୍ଟିଭେଟ୍ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ DoT ଏଜେଣ୍ଟଙ୍କୁ ବ୍ଲାକ୍ଲିଷ୍ଟ କରିଥିବା ବେଳେ ରି-ଭେରିଫିକେସନ୍ରେ ବିଫଳ ହୋଇଥିବା ୨୫ଟି ନମ୍ବରକୁ ବନ୍ଦ କରାଯାଇଥିଲା। ଦୂରସଞ୍ଚାର ବିଭାଗ ଲୋକଙ୍କୁ ନିଜ ନାଁରେ ନିଆଯାଇଥିବା ସିମ୍ ଅନ୍ୟକୁ ବିକ୍ରି, ଭଡ଼ାରେ ଦେବା କିମ୍ବା ବ୍ୟବହାର କରିବାକୁ ଦେବାରୁ ଦୂରେଇ ରହିବାକୁ କହିଛି। କାରଣ ସେହି ସିମ୍ରୁ ଯଦି ସାଇବର ଅପରାଧ ହୁଏ, ତେବେ ସିମ୍ ଯେଉଁ ବ୍ୟକ୍ତିଙ୍କ ନାଁରେ ରହିଛି, ତାଙ୍କ ବିରୋଧରେ ମଧ୍ୟ ଆଇନଗତ ତଦନ୍ତ କିମ୍ବା ପଦକ୍ଷେପ ହୋଇପାରେ।
ଆଡଭାଇଜରିରେ ମୋବାଇଲ୍ର IMEI ନମ୍ବରକୁ ନେଇ ମଧ୍ୟ ଚେତାବନୀ ଦିଆଯାଇଛି। ମୋବାଇଲ୍ର IMEI ନମ୍ବରରେ ହେରଫେର କିମ୍ବା ପରିବର୍ତ୍ତନ କରାଯାଇଥିଲେ ସେହି ଡିଭାଇସ୍ ବ୍ୟବହାର କରିବା ବେଆଇନ ହୋଇପାରେ। ଏହା ସହ ଏଭଳି ଆପ୍ କିମ୍ବା ୱେବସାଇଟ୍ ବ୍ୟବହାର କରିବା ମଧ୍ୟ ଅପରାଧ, ଯାହା ମାଧ୍ୟମରେ କଲ୍ କରିବା ବେଳେ ଅନ୍ୟ କାହାର ମୋବାଇଲ୍ ନମ୍ବର ପ୍ରଦର୍ଶିତ ହୋଇପାରେ। ଭାରତରେ ସାଧାରଣତଃ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ସିମ୍ କାର୍ଡ ରହିପାରିବ। ତେବେ ଜମ୍ମୁ-କଶ୍ମୀର, ଆସାମ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହି ସୀମା ୬ଟି ସିମ୍। ନୂଆ ସିମ୍ ଜାରି କରିବା ପୂର୍ବରୁ ଟେଲିକମ୍ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ନାଁରେ ପୂର୍ବରୁ କେତେ ମୋବାଇଲ୍ ନମ୍ବର ସକ୍ରିୟ ଅଛି, ତାହା ଯାଞ୍ଚ କରନ୍ତି।
ସରକାର ଅଗଷ୍ଟ ୨୩ରୁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମରେ ଏକ ନୂଆ ଫିଚର୍ ଯୋଡ଼ିଛନ୍ତି। ଏହା ଅନୁସାରେ, ନିର୍ଦ୍ଧାରିତ ସୀମାଠାରୁ ଅଧିକ ସିମ୍ ଥିବା ବ୍ୟକ୍ତିଙ୍କ ଫଟୋ ପୋର୍ଟାଲ୍ରେ ଦେଖାଯିବ। ଏହା ମାଧ୍ୟମରେ ସିମ୍ ବିକ୍ରେତା ଓ ଡିଲରମାନେ ଏଭଳି ଗ୍ରାହକଙ୍କୁ ଚିହ୍ନଟ କରିପାରିବେ ଏବଂ ସୀମା ପୂରଣ ହୋଇସାରିଥିଲେ ନୂଆ ସିମ୍ ଜାରି ରୋକାଯାଇପାରିବ।