Categories: ବାଣିଜ୍ୟ

ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନକୁ ସିଲଭର ମେଡାଲ

ଭୁବନେଶ୍ୱର,୨୧।୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନକୁ ସିଲଭର ମେଡାଲ ମିଳିଥିବା ଜଣାପଡିଛି। ବିଶେଷକରି ଗତବର୍ଷ ରଜ ସମୟରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ଜୀ-ସାର୍ଥକ ପକ୍ଷରୁ ଏକ ଅଭିନବ ପ୍ରୟାସ ‘ନାଲି ବିନ୍ଦୁ’ ଶୀର୍ଷକ ଅଭିଯାନ ଆରମ୍ଭ କରାଯାଇଥିଲା। ଏପରିକି ଉକ୍ତ ଅଭିଯାନ ‘ଇ୪ଏମ୍‌ ପ୍ରାଇମ୍‌ ଟାଇମ୍‌ ଆୱାର୍ଡ-୨୦୨୨’ ଦ୍ୱାରା ସିଲଭର ମେଡାଲ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ବିଶେଷକରି ଜାତୀୟସ୍ତରରେ ସୋସିଆଲ ୱେଲଫେୟାର କାଟାଗୋରି ଅଧୀନରେ ଉକ୍ତ ଅଭିଯାନଟି ସିଲଭର ମେଡାଲର ସମ୍ମାନରେ ସମ୍ମାନିତ ହୋଇ ରାଜ୍ୟ ପାଇଁ ଗୌରବ ଆଣି ଦେଇଛି। ସେହିଭଳି ଜୀ-ସାର୍ଥକର ଚିଫ୍‌ କ୍ଲଷ୍ଟର ହେଡ୍‌ ସମ୍ରାଟ ଘୋଷ ଏବଂ ଚାନେଲ ହେଡ୍‌ ପ୍ରତୀକ ସିଲଙ୍କ ବିଶେଷ ଆଗ୍ରହ ଓ ତତ୍ତ୍ୱାବଧାନରେ ଉକ୍ତ ଅଭିଯାନଟି ସଫଳ ହୋଇଛି ବୋଲି ଜୀ-ସାର୍ଥକ ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ରଜ ଅବସରରେ ଜୀ-ସାର୍ଥକ ପକ୍ଷରୁ ମାସିକ ଋତୁସ୍ରାବ ଜନିତ ସ୍ବଚ୍ଛତା ବିଷୟରେ ମହିଳାଙ୍କୁ ଅବଗତ କରାଇବା ସହ ସେ ବିଷୟରେ ଥିବା ସମସ୍ତ ଅଭ୍ୟାସକୁ ମନେରଖିବା ପାଇଁ ‘ନାଲି ବିନ୍ଦୁ’ ଅଭିଯାନ ଆରମ୍ଭ କରାଯାଇଥିଲା। ଉକ୍ତ ଅଭିଯାନ ମାଧ୍ୟମରେ ଏକ ଅଭିନବ ଭିଡିଓ ଉନ୍ମୋଚନ କରାଯାଇଥିଲା। ଉକ୍ତ ଭିଡିଓ ଦ୍ୱାରା ଭାରତର ମହିଳାମାନଙ୍କୁ ମାସିକ ଋତୁସ୍ରାବ ସ୍ବଚ୍ଛତା ଜନିତ ସମସ୍ତ ବିବରଣୀ ସବୁ ବର୍ଗର ଦର୍ଶକଙ୍କୁ ଦିଆଯାଇଥିଲା। ଉକ୍ତ ଅଭିଯାନ ଜରିଆରେ ମହିଳାମାନଙ୍କ ସହ କିଶୋରୀମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା। ସୂଚନାଯୋଗ୍ୟ ରଜପର୍ବରେ ପୃଥିବୀ ରଜସ୍ବଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ସେହି ସମୟରେ ଏଭଳି ଏକ ବିଶେଷ ଅଭିଯାନ ଆରମ୍ଭ କରି ଜୀ-ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ବୋଲି ନାଲି ବନ୍ଦୁ ଟିମ୍‌ ପକ୍ଷରୁ କୁହାଯାଇଛି।

Share