ରୁପା ଛାଉଣି ହେବ କଳାହାଟ ଦ୍ୱାର

ପୁରୀ ଅଫିସ,୨୬।୬: ଶ୍ରୀମନ୍ଦିରର ୮ ଦ୍ୱାର ମଧ୍ୟରୁ ବାକି ଗୋଟିଏ ରହିଯାଇଥିବା କଳାହାଟ ଦ୍ୱାର ଖୁବ୍‌ଶୀଘ୍ର ରୁପା ଛାଉଣି ହେବାକୁ ଯାଉଛି। ଏଥିପାଇଁ ଆବଶ୍ୟକ ରୁପାକୁ କଡ଼ା ସୁରକ୍ଷା ମଧ୍ୟରେ ଶନିବାର ଭକ୍ତନିବାସକୁ ପଠାଯାଇଛି। ଜିଲା କୋଷାଗାରରେ ରଖାଯାଇଥିବା ୫ଶହ କିଲୋଗ୍ରାମ୍‌ର ରୁପାକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପୋଲିସ ଅଧିକାରୀ ଓ ଫୋର୍ସଙ୍କ ଉପସ୍ଥିତିରେ ରୁପାକୁ ଭକ୍ତନିବାସକୁ ଅଣାଯାଇଛି। ଗତବର୍ଷ ନଭେମ୍ବର ୨୬ରେ ରୁପାକୁ କୋଷାଗାରରେ ଆଣି ରଖାଯାଇଥିଲା। ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପା ଛାଉଣି କାର୍ଯ୍ୟ ମଧ୍ୟରୁ ୭ଟି ଦ୍ୱାରର କାର୍ଯ୍ୟ ଗତବର୍ଷ ରଥଯାତ୍ରା ବେଳେ ଶେଷ ହୋଇଯାଇଥିଲା। ତନ୍ମଧ୍ୟରେ ବେହରଣ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଜୟବିଜୟ ଦ୍ୱାର, ଲକ୍ଷ୍ମୀ, ଆଦି ନୃସିଂହ ଓ ବିମଳା ମନ୍ଦିର ଦ୍ୱାରର ରୁପା ଛାଉଣି ଶେଷ ହୋଇଥିଲା। କେବଳ କଳାହାଟ ଦ୍ୱାରର ରୁପା ଛାଉଣି ହୋଇପାରି ନ ଥିଲା। କଳାହାଟ ଦ୍ୱାର ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ହୋଇଥିବା ହେତୁ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବା ପରେ ଏହାର ରୁପା ଛାଉଣି କାର୍ଯ୍ୟ କରାଯିବ। ଏ ନେଇ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଗତବର୍ଷ କଳାହାଟ ଦ୍ୱାର ରୁପା ଛାଉଣି ହୋଇପାରି ନ ଥିଲା। ଶ୍ରୀଗୁଣ୍ଡିଚା ପରଦିନଠାରୁ କାଠ କାମ ଓ ରୁପା କାମ କରାଯିବ। ତେବେ ରୁପା ଛାଉଣି ପୂର୍ବରୁ ଅନେକ କାର୍ଯ୍ୟ କରାଯିବାର ଆବଶ୍ୟକ ଥାଏ। ସମ୍ପୃକ୍ତ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି। ରୁପା ଟ୍ରେଜେରିରୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ ନୀଳାଦ୍ରି ଭକ୍ତନିବାସରେ ରଖିଛୁ। ଆସନ୍ତା ୩୧ ପର୍ଯ୍ୟନ୍ତ ରୁପା କାର୍ଯ୍ୟ କରାଯିବ। ଏହା ପରେ ନବଦିନାତ୍ମକ ଯାତ୍ରା ସମୟରେ ରୁପା ଶ୍ରୀମନ୍ଦିର ଭିତରକୁ ଯାଇ କଳାହାଟ ଦ୍ୱାରରେ ଛାଉଣି ହେବ। ନୀଳାଦ୍ରି ଭକ୍ତନିବାସ ମଧ୍ୟରେ ସୁରକ୍ଷା କର୍ମୀମାନଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରାଯାଇଥିଲା। ରୁପା ଟ୍ରଙ୍କରେ ଭର୍ତ୍ତିହୋଇ ଭକ୍ତନିବାସରେ ପହଞ୍ଚିବା ପରେ ସୁରକ୍ଷାକର୍ମୀଙ୍କ ତତ୍ତ୍ବାବଧାନରେ ଏହା ନୀଳାଦ୍ରି ଭକ୍ତନିବାସର ଷ୍ଟ୍ରଙ୍ଗ୍‌ରୁମ୍‌କୁ ନିଆଯାଇଥିଲା। ତେବେ ରୁପା କାମ ୩୫ ଜଣ କାରିଗର କରିବେ। ଫ୍ରେମ୍‌ ନିର୍ମାଣ ସରିଛି, ଏବେ କେବଳ ରୁପାରେ ସୂକ୍ଷ୍ମକାର୍ଯ୍ୟ କରାଯିବା ସହ ଶେଷ ସ୍ପର୍ଶ ଦିଆଯିବ ବୋଲି ପ୍ରଶାସନ ଜଣାଇଛି।