ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଇଟା ଚାଲାଣ: ୧୮ ଲକ୍ଷ ଟଙ୍କାର ଇଟା ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୨୭ା୮: ଓଡ଼ିଶାରୁ ଆନ୍ଧ୍ରକୁ ରୁପାଇଟା ଚାଲାଣ ବେଳେ ଇଚ୍ଛାପୁର ପୋଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ପୋଲିସ ୩ଜଣ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୬୧କେଜି ରୁପାଇଟା ଜବତ କରିଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଇଚ୍ଛାପୁର ଟାଉନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଚେକ୍‌ପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ଓଡ଼ିଶା ପଟୁ ଯାଇଥିବା ଏକ କାର୍‌(ଏପି ୧୬ଇକେ ୦୮୧୮)କୁ ପୋଲିସ ଅଟକାଇ ଥିଲା। ଗାଡ଼ି ଯାଞ୍ଚ ସମୟରେ ଡିକିରେ ରୁପାଇଟା ଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଗାଡ଼ିରେ ବସିଥିବା ୩ଜଣ ଯୁବକ ସେହି ରୁପାଇଟାର କୌଣସି କାଗଜପତ୍ର କିମ୍ବା ବିଲ୍‌ ଦେଖାଇ ପାରି ନଥିଲେ। ଫଳରେ ବେଆଇନ ଭାବେ ତାହା ଚାଲାଣ କରାଯାଉଥିବା ନେଇ ଆନ୍ଧ୍ର ପୋଲିସର ସନ୍ଦେହ ହୋଇଥିଲା। ଅଧିକ ଜେରା ପରେ ସେହି ୩ ଜଣ ଯୁବକ ବ୍ରହ୍ମପୁରରୁ ଆସିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ପୋଲିସ ଉକ୍ତ ରୁପାଇଟା ଓ କାର୍‌ ଜବତ କରିଛି। ଏ ସଂକ୍ରାନ୍ତରେ ମଛଲିପଟମର ପି. ସୁରୀ ବାବୁ, ଇଜାଦ ଗୋବିନ୍ଦା ଏବଂ କାର୍‌ ଡ୍ରାଇଭର୍‌ ବି. ନରସିଂହ ମୁଲୁକୁ ଗିରଫ କରିଥିବା ସୂଚନା ମିଳିଛି।