୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ ମଧ୍ୟରେ ଏକ ଭିନ୍ନ ଧରଣର ‘ସାଇଲେଣ୍ଟ ୱାର୍‌’ ଚର୍ଚ୍ଚାକୁ ଆସିଛି। ପଡ଼ିଆରେ ନୁହେଁ, ଏଥର ଲଢ଼େଇର ଝଲକ ଦେଖିବାକୁ ମିଳିଛି ଇନ୍‌ଷ୍ଟାଗ୍ରାମରେ। ଶୁବମନ ଗିଲଙ୍କ ‘୪୦୬? କୁଲ’ କ୍ୟାପ୍‌ସନ୍‌ର ଜବାବରେ ସାଇ ହୋପ ଲେଖିଛନ୍ତି ‘୨୫୦? କୁଲ’। ଏହି ଦୁଇଟି ଛୋଟ କ୍ୟାପ୍ସନ ଏବେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ସୋସିଆଲ ମିଡିଆ ଚର୍ଚ୍ଚାର ଆରମ୍ଭ ହୋଇଥିଲା ଗୁଆହାଟୀରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍‌ରୁ। ୱେଷ୍ଟଇଣ୍ଡିଜ ବିପକ୍ଷରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଗିଲ ମାତ୍ର ୧୩୩ଟି ବଲ୍‌ରୁ ଅପରାଜିତ ୨୨୩ ରନ କରି ଦଳକୁ ବିଜୟୀ କରାଇଥିଲେ।

ଏହି ଦମ୍‌ଦାର ପ୍ରଦର୍ଶନ ପରେ ଗିଲ ଇନ୍‌ଷ୍ଟାଗ୍ରାମରେ ନିଜ ସେଲିବେଶନର ଏକ ଫଟୋ ଶେୟାର କରିଥିଲେ। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଥିଲେ‘୪୦୬? କୁଲ୍‌’ ଗିଲଙ୍କ ଏହି ଛୋଟ କିନ୍ତୁ ଆକର୍ଷଣୀୟ କ୍ୟାପ୍‌ସନର ସେତେବେଳେ ବେଶ ଚର୍ଚ୍ଚା ସାଉଁଟିଥିଲା।

ଗିଲଙ୍କ କ୍ୟାପ୍‌ସନର ଜବାବ ଦେବାକୁ ୱେଷ୍ଟଇଣ୍ଡିଜ ଅଧିନାୟକ ସାଇ ହୋପ ମଧ୍ୟ ସମାନ ଶୈଳୀ ଆପଣାଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଧାର୍ଯ୍ୟ କରିଥିବା ୨୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ୬ ଉଇକେଟ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ ହୋପ ଅପରାଜିତ ୧୦୨ ରନ୍‌ର ଦମ୍‌ଦାର ଇନିଂସ ଖେଳି ଦଳର ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ। ବିଜୟ ପରେ ହୋପ ମ୍ୟାଚ୍‌ର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ‘୨୫୦? କୁଲ୍‌.’ ବୋଲି କ୍ୟାପ୍‌ସନ ଦେଇଥିଲେ। ଗିଲଙ୍କ କ୍ୟାପ୍‌ସନ ସହ ଏହାର ସମାନତା ଦେଖି ପ୍ରଶଂସକମାନେ ଏହାକୁ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

ବିନା କୌଣସି ବାକ୍‌ ଯୁଦ୍ଧ କିମ୍ବା ସ୍ଲେଜିଂରେ, ଉଭୟ ଅଧିନାୟକ ନିଜ ନିଜ ଦଳର ପ୍ରଦର୍ଶନକୁ ଦୁଇଟି ଶବ୍ଦରେ ପ୍ରକାଶ କରିଛନ୍ତି। ଏହି ହାଲୁକା ଢଙ୍ଗର ସୋସିଆଲ ମିଡିଆ ଆଦାନପ୍ରଦାନ କ୍ରିକେଟ ପ୍ରଶଂସକଙ୍କୁ ବେଶ ଆକର୍ଷିତ କରିଛି। ତେବେ ଶୁବମନ ଗିଲ ଏହି ଟି-୨୦ ସିରିଜ୍ର ଅଂଶ ନୁହନ୍ତି। ଏହା ସତ୍ତ୍ୱେ ତାଙ୍କ ପୂର୍ବ କ୍ୟାପ୍‌ସନ ହୋପଙ୍କ ଏହି ଅନୁକରଣ ଏବେ କ୍ରିକେଟ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

 

Dharitri – Odisha’s No.1 Odia Daily

 

Share