କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ ହେଉଛନ୍ତି ଶିକ୍ଷକ। କାହିଁକିନା ଶିକ୍ଷାଦାନ ତାଙ୍କର କେବଳ ଏକ ବୃତ୍ତି ନୁହେଁ, ବରଂ ଦାୟିତ୍ୱବୋଧ। କାହାକୁ ସେ ସ୍ବପ୍ନରେ ଉଡ଼ିବା ଶିଖାନ୍ତି ତ କାହାକୁ ପୁଣି ଶିଖାନ୍ତି ନିଜ ଭବିଷ୍ୟତ ଗଢ଼ିବାକୁ। ଆଜି ଯେଉଁ ପିଲା ଶିକ୍ଷକଙ୍କୁ ପ୍ରଶ୍ନ ପଚାରନ୍ତି, କାଲି ସେହି ପିଲା ଦୁନିଆକୁ ବଦଳାଇବାର ସାମର୍ଥ୍ୟ ରଖନ୍ତି। ଖାସ୍ ସେଇଥିପାଇଁ ତ ଜଣେ ଶିକ୍ଷକ ଗର୍ବର ସହିତ ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହେବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତି।
ଶିକ୍ଷକ ଏକ ପ୍ରେରଣା, ଯିଏକି ବହିଠୁ ବି ଅଧିକ ଶିଖାଇଥାନ୍ତି ଜୀବନର ଦର୍ଶନ। ବିପଦବେଳେ ବତାଇ ଦିଅନ୍ତି ଠିକ୍ ରାସ୍ତା। କେବେ ବନ୍ଧୁଟିଏ ସାଜି ହସନ୍ତି ତ କେବେ ପଡ଼ିଗଲେ ଉଠାଇଦିଅନ୍ତି। ପିଲାଙ୍କ ଭିତରେ ସେ ଗଢ଼ି ତୋଳନ୍ତି ବିଶ୍ୱାସର ମୂଳଦୁଆ। ଯେତେବେଳେ ଶିକ୍ଷକଙ୍କ ବିଶ୍ୱାସ ଓ ଛାତ୍ରୀଛାତ୍ରଙ୍କ ପରିଶ୍ରମ ଏକାଠି ହୋଇଯାଏ, ସେତେବେଳେ ମିଳିଥାଏ ଅସମ୍ଭବ ସଫଳତା। ଗୁରୁ-ଶିଷ୍ୟର ଏ ସମ୍ପର୍କ କେବଳ ବିଦ୍ୟାଳୟ ମଧ୍ୟରେ ସୀମାବଦ୍ଧ ହୋଇ ରହେନାହିଁ। ସମୟ ସହିତ ଏହାର ସଂଜ୍ଞା ମଧ୍ୟ ବଦଳିଥାଏ। କାହିଁକିନା ଜଣେ ଭଲ ଶିକ୍ଷକ କେବଳ ପଢ଼ାନ୍ତି ନାହିଁ, ସେ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଜୀବନରେ ଚିର ସ୍ମରଣୀୟ ହୋଇ ରହିଯା’ନ୍ତି।
ଜଣେ ଭଲ ଶିକ୍ଷକ ସ୍ବପ୍ନ ଦେଖନ୍ତି। ତାହା ପୁଣି ନିଜ ପାଇଁ ନୁହେଁ, ପିଲାଙ୍କ ପାଇଁ। ପିଲାଙ୍କ ଆଖିରେ ମଖାଇ ଦିଅନ୍ତି ସଫଳତାର ସୁନେଲି ସ୍ବପ୍ନ। ଜ୍ଞାନ, ସଂସ୍କାର ଓ ପରିଶ୍ରମ ଦ୍ୱାରା ଜୀବନକୁ ଗଢ଼ିବାର ସ୍ବପ୍ନ, ଯେଉଁଠି ପ୍ରତ୍ୟେକ ପିଲା ପାଇବେ ସଫଳତା ଆଉ ଏଥିରେ ଭରି ରହିଥିବ ଆତ୍ମସମ୍ମାନବୋଧ। ପ୍ରତ୍ୟେକ ଘରେ ଯେମିତି ଜଳିବ ଶିକ୍ଷାର ଦୀପ, ଯେଉଁଥିରେ ଘୁଞ୍ଚତ୍ୟିବ ଅଜ୍ଞାନର ଅମା ଅନ୍ଧକାର। ଏ ସଂସାରର ସବୁଠାରୁ ବଡ଼ ସମ୍ପତ୍ତି ହେବ ଏକ ଶିକ୍ଷିତ ସମାଜ। ଆଉ ଏସବୁ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥାଆନ୍ତି ଶିକ୍ଷକ।
ଶିକ୍ଷାର ପ୍ରକୃତ ପରିଭାଷା ଯେ ଜାଣନ୍ତି, ସେ ହିଁ ବାସ୍ତବରେ ଜଣେ ଶିକ୍ଷକ; ଯିଏକି ପରିଶ୍ରମ ବଳରେ ଭାଗ୍ୟକୁ ବଦଳାଇଦେଇ ପାରନ୍ତି। କଳାପଟାରେ ପାଠ ଲେଖିବା ସହିତ ସେ ଲେଖିଥାନ୍ତି ପିଲାଙ୍କ ଭାଗ୍ୟ। ସମାଜକୁ ଦିଗ୍ଦର୍ଶନ ଦେବାରେ ତାଙ୍କ ଅବଦାନ ଅବିସ୍ମରଣୀୟ। ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଥିବା ସୃଜନଶୀଳତାର ବିକାଶ ଦିଗରେ ସେ ଥାଆନ୍ତି ସଦା ତତ୍ପର। ସେଇଥିପାଇଁ ତ ପଛ ବେଞ୍ଚର ପିଲା ବୋଲି ନିଜକୁ ସଙ୍କୁଚିତ କରୁଥିବା ଛାତ୍ରୀଛାତ୍ର କୌଣସି ନା କୌଣସି କ୍ଷେତ୍ରରେ ପାରଙ୍ଗମ ହେବାର ଦେଖାଯାଏ।
ଉଚ୍ଚନୀଚ, ଧନୀ ଗରିବ, ଜାତି-ଅଜାତି ବାଛବିଚାରରେ ବିଶ୍ୱାସ କରୁନଥିବା ଜଣେ ନିରପେକ୍ଷ ବ୍ୟକ୍ତିତ୍ୱ ହେଉଛନ୍ତି ଶିକ୍ଷକ। ତାଙ୍କ ଦୃଷ୍ଟିରେ ପ୍ରତ୍ୟେକଟି ପିଲା ସମାନ। ସଂସ୍କାର, ଚରିତ୍ର ନିର୍ମାଣ, ମାନବତା ଆଦି ମହତ୍ ଗୁଣକୁ ପିଲାଙ୍କ ମନରେ ଭରିଦେବା ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ ସେ। ଶିକ୍ଷକଙ୍କ ଜାତି ହେଉଛି- ଶିକ୍ଷା, ଧର୍ମ ହେଉଛି- ମାନବତା ଓ କର୍ମ ହେଉଛି- ଜ୍ଞାନର ଆଲୋକ ବିତରଣ କରିବା।
ଥରେ କେହି ଜଣେ ଶିକ୍ଷକଙ୍କୁ ପଚାରିଲେ- ”ଆପଣ କ’ଣ କରନ୍ତି?“ ଶିକ୍ଷକଙ୍କ ଉତ୍ତର ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ଥିଲା- ”ସୁନ୍ଦର ସୁର ସଜାଇବାକୁ ବାଦ୍ୟ ମୁଁ ଗଢ଼େ, ନୂଆ ଶିକ୍ଷାର୍ଥୀଙ୍କୁ ମୁଁ ବାଜପକ୍ଷୀ କରେ। ସମସ୍ତଙ୍କ ମନର ଅଭିଯୋଗକୁ ଚୁପ୍ଚାପ୍ ଶୁଣେ। ତା’ପରେ ଦୁନିଆ ବଦଳାଇବାରେ ମୋ ହୃଦୟର ସ୍ବରକୁ ସେମାନଙ୍କ ସାଥିରେ ଯୋଡ଼େ। ସମୁଦ୍ର ତ ନାବିକଙ୍କ ସାହସକୁ ପରଖିଥାଏ, ମୁଁ କିନ୍ତୁ ବୁଡ଼ିଯାଉଥିବା ନୌକାକୁ ଜାହାଜରେ ପରିବର୍ତ୍ତନ କରିବା ପାଇଁ ଆପ୍ରାଣ ଉଦ୍ୟମ କରେ।“ ସୁତରାଂ କହିବାକୁ ଗଲେ, ଶିକ୍ଷକ କେବଳ ଏକ ପେସା ବା ଦାୟିତ୍ୱ ନୁହେଁ; ଏହା ହେଉଛି ଏକ ପ୍ରବଳ ଉତ୍ସାହ ଓ ଜୀବନ ଜିଇବାର ଏକ ଅନନ୍ୟ ଶୈଳୀ।
ଜଣେ ଉତ୍ତମ ଶିକ୍ଷକ ରାସ୍ତା ଦେଖାନ୍ତି, ଲକ୍ଷ୍ୟସ୍ଥଳରେ ପହଞ୍ଚାନ୍ତି। ସେ କେବଳ ବହିର ଜ୍ଞାନ ଦିଅନ୍ତି ନାହିଁ ବରଂ ଜୀବନ ବଞ୍ଚତ୍ବାର କଳା ଦିଅନ୍ତି। ଏକ ସୁସ୍ଥ, ସୁନ୍ଦର ସମାଜ ନିର୍ମାଣ ଦିଗରେ ଶିକ୍ଷକଙ୍କ ଭୂମିକା ଥାଏ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସମାଜର ଭବିଷ୍ୟତ ଗଠନର ଚାବିକାଠି ତାଙ୍କ ହାତରେ ହିଁ ଥାଏ। ଆଜିର ଭବିଷ୍ୟତ ଓ ଆସନ୍ତାକାଲିର ଅଭିମାନ ଗଢ଼ି ତୋଳିବାରେ ତାଙ୍କର ପ୍ରଚ୍ଛନ୍ନ ହାତ ଥାଏ। ପ୍ରତ୍ୟେକ ସଫଳ ମଣିଷଙ୍କ ପଛରେ ଜଣେ ଭଲ ଶିକ୍ଷକଙ୍କ ହାତ ନିଶ୍ଚିତ ରହିଥାଏ।
ଶିକ୍ଷକ ହେଉଛନ୍ତି ସମାଜ ଓ ସଭ୍ୟତାର ନିର୍ମାତା। ଶିକ୍ଷାଦାନ ମାଧ୍ୟମରେ ସେ ଛାତ୍ରୀଛାତ୍ରଙ୍କ ଜ୍ଞାନ, ଚରିତ୍ର, ନୈତିକତା ଓ ମାନବିକ ମୂଲ୍ୟବୋଧର ବିକାଶ କରନ୍ତି। ଜଣେ ଆଦର୍ଶ ଶିକ୍ଷକ କେବଳ ପାଠ୍ୟ ପୁସ୍ତକର ଜ୍ଞାନ ଦିଅନ୍ତି ନାହିଁ; ସେ ଶୃଙ୍ଖଳା, ସତ୍ୟନିଷ୍ଠା, ଦାୟିତ୍ୱବୋଧ, ସହନଶୀଳତା ଓ ପରୋପକାରର ଶିକ୍ଷା ଦିଅନ୍ତି। ତାଙ୍କ ମାର୍ଗଦର୍ଶନରେ ଛାତ୍ରମାନେ ଦେଶର ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ିଉଠନ୍ତି। ନୂତନ ପିଢ଼ିର ଚିନ୍ତାଧାରା ଓ କର୍ମଦକ୍ଷତାକୁ ଉନ୍ନତ କରି ଶିକ୍ଷକ ଏକ ସୁସ୍ଥ, ସୁନ୍ଦର ଓ ଉନ୍ନତ ସମାଜ ଗଠନର ଭିତ୍ତି ସୁଦୃଢ଼ କରନ୍ତି। ତେଣୁ ସଭ୍ୟତାର ଅଗ୍ରଗତିରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ।
– ଶିକ୍ଷକ, ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ
କିଶୋରନଗର, ଅନୁଗୋଳ
ମୋ: ୯୪୩୭୫୪୭୧୪୬