ସିକିମ୍‌ ସଡ଼କ ଦୁର୍ଘଟଣା: ଆସନ୍ତାକାଲି ଆସିବ ଓଡ଼ିଆ ଯବାନଙ୍କ ମୃତଦେହ

କବିସୂର୍ଯ୍ୟନଗର,୨୧ା୧୨-ସିକିମ୍‌ର ନାଥୁଲାରେ ଏକ ବରଫାବୃତ୍ତ ରାସ୍ତାରେ ଯବାନଙ୍କ ଜିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୩ ଯବାନ ଓ ଜିପ୍‌ରେ ଥିବା କମାଣ୍ଡିଂ ଅଫିସରଙ୍କ ୭ ବର୍ଷୀୟ ପୁଅଙ୍କ ମୃତ୍ୟୁ ଘଟିଥିଲା। ମୃତ ଓଡ଼ିଆ ଯବାନ ହେଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ବଣିଆସାହିର ଯଜ୍ଞ ନାରାୟଣ କର (୨୭)। ମଙ୍ଗଳବାର ଯଜ୍ଞଙ୍କ ପାର୍ଥିବ ଶରୀର ଗାଁକୁ ଆସିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ରାଷ୍ଟ୍ରୀୟ ସମ୍ମାନ ପରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ପ୍ରାୟ ୧୪ ମାସ ତଳେ ଯଜ୍ଞଙ୍କର ବିବାହ ହୋଇଥିଲା। ସେ ଜଣେ ଭଲ ରୋଷେୟା ଭାବେ ଅଞ୍ଚଳରେ ପରିଚିତ ଥିଲେ। ଚାକିରି ପାଇବା ପରେ ତାଙ୍କ ମା’ ବାପାଙ୍କ ଚିନ୍ତା ଦୂର ହୋଇଥିଲା। ବାପା ସୁରଟରେ କାମ କରୁଥିଲେ। ବାର୍ଦ୍ଧକ୍ୟ ହେତୁ ସେ ବର୍ତ୍ତମାନ ଘରେ ରହୁଛନ୍ତି। ପରିବାରର ସୁଖ ଦେଖିବା ପୂର୍ବରୁ ଯଜ୍ଞଙ୍କର ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।