8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା ଦେଶର କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନ (8th Pay Commission) ଗଠନ ଏବଂ ତାହା ଲାଗୁ ହେବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ବେଳେ, ଅନ୍ୟପଟେ ଉତ୍ତର-ପୂର୍ୱର ସୁନ୍ଦର ରାଜ୍ୟ ସିକିମର ସରକାର ନିଜ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି।

ସିକିମର ପ୍ରେମ ସିଂହ ତମାଙ୍ଗ (ଗୋଲେ) ସରକାର ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନସନଭୋଗୀଙ୍କ ମହଙ୍ଗା ସହାୟତା (DR)ରେ ୫% ପର୍ଯ୍ୟନ୍ତ ବୃଦ୍ଧି ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କେଉଁ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ ଏବଂ ଏହି ନିୟମ କେବେଠାରୁ ଲାଗୁ ହେବାକୁ ଯାଉଛି।

ସିକିମ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି (Circular) ଅନୁଯାୟୀ, ଏହି ବୃଦ୍ଧିର ଲାଭ ରାଜ୍ୟର ପ୍ରାୟ ୫୦,୦୦୦ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମିଳିବ। ସରକାର ଭିନ୍ନ ଭିନ୍ନ ପେ’ ଷ୍ଟ୍ରକଚର (Pay Structure) ହିସାବରେ DA ଏବଂ DR ହାରରେ ବୃଦ୍ଧି କରିଛନ୍ତି।

କେତେ ବଢ଼ିଲା DA? ଯେଉଁ କର୍ମଚାରୀ ଏବଂ ପେନସନଭୋଗୀ ପୁରୁଣା ବେସିକ ପେ’ ଷ୍ଟ୍ରକଚର (୬ଷ୍ଠ କେନ୍ଦ୍ରୀୟ ବେତନ କମିଶନ) ଅଧୀନରେ ଦରମା ପାଉଛନ୍ତି, ସେମାନଙ୍କ DA ୨୫୭%ରୁ ବୃଦ୍ଧି ପାଇ ୨୬୨% କରାଯାଇଛି। ଷଷ୍ଠ ବେତନ କମିଶନ ଅଧୀନରେ ଆସୁଥିବା ସର୍ୱଭାରତୀୟ ସେବା (AIS) ଅଧିକାରୀମାନଙ୍କ ପାଇଁ ମଧ୍ୟ DA ୨୫୭%ରୁ ବୃଦ୍ଧି କରି ୨୬୨% କରାଯାଇଛି।

ଯେଉଁ କର୍ମଚାରୀ ଏବଂ ପେନସନଭୋଗୀ ସଂଶୋଧିତ (୭ମ ବେତନ କମିଶନ) ବେସିକ ପେ’ ଷ୍ଟ୍ରକଚର ଅଧୀନରେ ଆସୁଛନ୍ତି, ସେମାନଙ୍କ DA/DRକୁ ୫୮%ରୁ ବୃଦ୍ଧି କରି ୬୦% କରାଯାଇଛି (ସିଧାସଳଖ ୨% ବୃଦ୍ଧି)। ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ବେତନ ପାଉଥିବା AIS ଅଧିକାରୀମାନଙ୍କ DA ମଧ୍ୟ ୫୮%ରୁ ବୃଦ୍ଧି ପାଇ ୬୦% କରାଯାଇଛି।

ସିକିମ ସରକାର ଏହି କଥା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ଯେପରି ଏହି ବୃଦ୍ଧି କେବଳ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ସୀମିତ ନ ରହେ। ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ଅଧୀନରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଲାଭ ପାଇବେ। ନିୟମିତ ସ୍କେଲ୍ରେ ସଂଶୋଧିତ ବେତନ ପାଉଥିବା ୱାର୍କ-ଚାର୍ଜଡ କର୍ମଚାରୀମାନେ ମଧ୍ୟ ଉପକୃତ ହେବେ। ଏହି ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ମଧ୍ୟ ମହଙ୍ଗା ଭତ୍ତାର ଏହି ନୂତନ ସଂଶୋଧିତ ହାର ସମ୍ପୂର୍ଣ୍ଣ ରୂପେ ଲାଗୁ ହେବ।

ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ DA-DRର ଏହି ବୃଦ୍ଧି ଜାନୁଆରୀ ୧ ତାରିଖରୁ ଲାଗୁ ହୋଇଛି ବୋଲି ଧରାଯିବ, ଯାହାଦ୍ୱାରା କର୍ମଚାରୀମାନଙ୍କୁ ବକେୟା (Arrears)ର ଫାଇଦା ମଧ୍ୟ ମିଳିବ। ଟଙ୍କା ହିସାବ କଲାବେଳେ ଯଦି କୌଣସି ରାଶି ୫୦ ପଇସା କିମ୍ୱା ତା’ଠାରୁ ଅଧିକ ଆସେ, ତେବେ ତାହା ପରବର୍ତ୍ତୀ ପୂର୍ଣ୍ଣ ଟଙ୍କା (Next Full Rupee) ଭାବେ ଗଣନା କରାଯିବ। ଅନ୍ୟପକ୍ଷରେ, ୫୦ ପଇସାରୁ କମ ରାଶିକୁ ହିସାବରୁ ବାଦ ଦିଆଯିବ।

୮ମ ବେତନ କମିଶନ ଲାଗୁ ହେବା ପୂର୍ୱରୁ ସିକିମ ସରକାରଙ୍କ ଏହି ପଦକ୍ଷେପ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଆର୍ଥିକ ଆଶ୍ୱସ୍ତି ଆଣିଦେଇଛି। ଆସାମ ସରକାର ଯେଉଁଠି ୮ମ ବେତନ କମିଶନ ସର୍ୱପ୍ରଥମେ ଲାଗୁ କରିବା ଦୌଡ଼ରେ ଆଗରେ ଥିବା ଦେଖାଯାଉଛି, ସେହିଠାରେ ସିକିମ ନିଜ କର୍ମଚାରୀମାନଙ୍କ DA ବୃଦ୍ଧି କରି ସମୟ ପୂର୍ୱରୁ ଏକ ଚମତ୍କାର ଉପହାର ପ୍ରଦାନ କରିଛି।

 

Share